୧. ଭଗବାନଙ୍କୁ ଲାଭକଲେ ଅଧିକ କଅଣ ହୁଏ, କଅଣ ଦୁଇଟା ଶିଙ୍ଗ ବାହାରିବ ? ନା-ମନ ଶୁଦ୍ଧ ହେବ । ଶୁଦ୍ଧ ମନରେ ଜ୍ଞାନ, ଚୈତନ୍ୟ ଓ ଆନନ୍ଦଲାଭ ହେବ । ଭଗବାନଙ୍କ ପ୍ରତି ଭକ୍ତି, ପ୍ରେମ ଓ ଅନୁରାଗ ବଢ଼ିବ । ସର୍ବଦା ତାଙ୍କ ପ୍ରତି ଗୋଟିଏ ଆକର୍ଷଣ ରହିବ ।
୨. ମନ ହେଉଛି ମତ୍ତହସ୍ତୀ ସଦୃଶ । ପବନ ବେଗରେ ଧାଉଁଛି । ତେଣୁ ସର୍ବଦା ବିଚାର କରିବାକୁ ହୁଏ । ଈଶ୍ୱରଲାଭ କରିବା ପାଇଁ ଉଦ୍ୟମ ଆବଶ୍ୟକ ।
୩. ମନ ମଧ୍ୟରେ ଗୋଳମାଳ ରହିଛି । ତାହା ପ୍ରକୃତିର ନିୟମ-ଯେପରି ଅମାବାସ୍ୟା ଓ ପୂର୍ଣ୍ଣିମା । ସେହିପରି ମନ କେତେବେଳେ ଭଲ, ପୁଣି କେତେବେଳେ ମନ୍ଦ ହୋଇଥାଏ ।
୪. ଯେତେବେଳେ କିଛି ଖାଇବ, ତାଙ୍କୁ ନିବେଦନ କରି ପ୍ରସାଦ ଭାବି ଖାଇବ । ତା’ହେଲେ ତୁମର ରକ୍ତ ଶୁଦ୍ଧ ହେବ, ମନ ମଧ୍ୟ ଶୁଦ୍ଧ ହେବ ।
୫. ମନରେ ସବୁ-ମନରେ ଶୁଦ୍ଧ, ପୁଣି ମନରେ ଅଶୁଦ୍ଧ ।
୬. ସଫା କରିବା ଭଲ କାମ । ଠାକୁରେ କହୁଥିଲେ, ‘ରାସ୍ତାଘାଟ, ଦେବାଳୟ ପରିଷ୍କାର କରିବା ଭଲ ।’ ସେଠାରେ କେତେ ସାଧୁଭକ୍ତଙ୍କର ଚରଣ-ଧୂଳି ପଡ଼ିଥାଏ । ସେହି ସ୍ପର୍ଶରେ ମନର ମଇଳା ସଫା ହୋଇଯାଏ ।
୭. ମଣିଷର ମନ ଆଗେ ଦୋଷ କରେ, ତା’ପରେ ସେ ପରର ଦୋଷ ଦେଖେ । ପରର ଦୋଷ ଦେଖିଲେ କାହାର କଅଣ ହେବ ? କେବଳ ନିଜର କ୍ଷତି । ମୋର ଏହି ଅଭ୍ୟାସଟି ପିଲାଦିନରୁ ଥିଲା । କାହାରି ଦୋଷ ମୁଁ ଦେଖିପାରୁ ନ ଥିଲି । ଅନ୍ୟର ଦୋଷ ଦେଖିବା-ଏହି କଥାଟି ମୁଁ ଶିଖି ନାହିଁ । କ୍ଷମା ହିଁ ପରମ ତପସ୍ୟା ।
୮. ତୁମ୍ଭେମାନେ ମାଳି ଜପିବ, ତା’ହେଲେ ସହଜରେ ଚିତ୍ତ ସ୍ଥିର ହେବ ।
୯. ମନ୍ତ୍ରଦ୍ୱାରା ଦେହ ଶୁଦ୍ଧ ହୁଏ, ମନ୍ତ୍ର ଜପ କରି ଲୋକେ ପବିତ୍ର ହୁଅନ୍ତି-ଜପାତ୍ ସିଦ୍ଧି, ଜପାତ୍ ସିଦ୍ଧି ।
୧୦ ଠାକୁରେ କହୁଥିଲେ, ‘ଯେ ସହେ ସେ ମହାଶୟ । ଯେ ନ ସହେ, ସେ ନାଶ ହୁଏ ।’ (ଅର୍ଥାତ୍ ଯେ ସହେ ସେ ମହାଶୟ ସଦୃଶ, ଆଉ ଯେଉଁ ଲୋକ ନ ସହେ, ତାହାର ସବୁ ନଷ୍ଟ ହୋଇଯାଏ ।) ୧୧. ଯାହାର (ଅର୍ଥ) ଅଛି ସେ ମାପୁ (ଦାନ କରୁ); ଯାହାର (କିଛି) ନାହିଁ ସେ ଜପୁ (ଜପ କରୁ) ।
୧୨. କର୍ମ କରିବାକୁ ହେବ । କର୍ମଦ୍ୱାରା କର୍ମ-ବନ୍ଧନରୁ ମୁକ୍ତ ହେବ ଏବଂ ନିଷ୍କାମଭାବ ମନରେ ଆସିବ । ଦଣ୍ଡେ ହେଲେ ସୁଦ୍ଧା କର୍ମ ନ କରି ରହିବା ଉଚିତ୍ ନୁହେଁ ।
୧୩. କର୍ମଫଳକୁ କେହି ଏଡ଼େଇ ପାରନ୍ତି ନାହିଁ । ତେବେ ଯଦି ସାଧନ ଭଜନ ଥାଏ, ଯେଉଁଠି ଖଣ୍ଡାରେ ଆଘାତ ହେବା କଥା, ସେଠାରେ କଣ୍ଟାଟିଏ ହୁଏତ ଫୁଟି ଯାଇପାରେ ।
୧୪. ବାସନାରୁ ଶରୀର । ଯେତେବେଳେ ବାସନା ଶେଷ ହେବ ଶରୀର ସେତେବେଳେ ନଷ୍ଟ ହୋଇଯିବ । ସମ୍ପର୍ଣ୍ଣ ବାସନାକ୍ଷୟ ହିଁ ମୁକ୍ତି । ନିର୍ବାସନା ହେବା ପାଇଁ ବାସନା କର ।
୧୫. ଶରୀର ଧାରଣରେ କୌଣସି ସୁଖ ନାହିଁ । ଜଗତ ଦୁଃଖପୂର୍ଣ୍ଣ । କେବଳ ତାଙ୍କର ନାମ ଜପ କରିବାରେ ସୁଖ ଅଛି ।
୧୬. ଦୁଃଖ ବିପଦ ଆସିବ ନାହିଁ-ଏପରି ଭାବିବା ଅନ୍ୟାୟ । ତାହା ନିଶ୍ଚୟ ଆସିବ । କିନ୍ତୁ ଭକ୍ତର ସେଥିରେ କଅଣ ହୁଏ ଜାଣ ? ଦୁଃଖରାଶି ତାହାର ପାଦତଳ ଦେଇ ପାଣିସୁଅ ଗଲା ପରି ଆପଣା ଛାଏଁ ଚାଲିଯାଏ ।
୧୭. ତାଙ୍କ କୃପାବାରି ଯାହା ଉପରେ ବର୍ଷିତ ହୋଇଛି, ସେ କେବଳ ତାଙ୍କୁ ଜାଣିପାରେ । ୧୮. ସାଧନଭଜନ ଇତ୍ୟାଦି ଯୁବା ବୟସରେ କରି ନିଅ । ଶେଷରେ କଅଣ ଆଉ କରିପାରିବ ? ଯାହା କରିପାରିବ ବର୍ତ୍ତମାନ କରିନିଅ ।
୧୯. ଭଗବାନ ହାତ ଦେଇଛନ୍ତି, ଅଙ୍ଗୁଳି ଦେଇଛନ୍ତି-ଜପ କରି ସେଗୁଡ଼ିକୁ ସାର୍ଥକ କର ।
୨୦. (ଦେବମନ୍ଦିରରେ) ପୂଜା ଅର୍ଚ୍ଚନା ଇତ୍ୟାଦି କରିବା ପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼େ; ଜପ କରିବାରେ କୌଣସି ଖର୍ଚ୍ଚ ନାହିଁ ।
୨୧. ଯେ ସାଧୁ ହୋଇଛି, ସେ ଭଗବାନଙ୍କୁ ଡାକିବ ନାହିଁ ତ କଅଣ କରିବ ! କିନ୍ତୁ ତାଙ୍କର ଯେତେବେଳେ ଇଚ୍ଛା ହେବ ସେ ଦେଖା ଦେବେ ।
୨୨. ଠାକୁରେ କହୁଥିଲେ, ‘ଯେଉଁମାନେ ମୋତେ ଡାକିବେ, ସେମାନଙ୍କ ନିକଟକୁ ମୋତେ ଅନ୍ତିମ କାଳରେ ଆସିବାକୁ ପଡ଼ିବ’-ଏହା ତାଙ୍କ ନିଜ ମୁଖନିଃସୃତ ବାଣୀ ।
୨୩. ଆହା ! ନିବେଦିତାର କିପରି ଭକ୍ତି ଥିଲା ! ମୋ ପାଇଁ କଅଣ କରିବା ତାହା ଭାବି ସେ ଅସ୍ଥିର । ପ୍ରଣାମ କରି ରୁମାଲ ଦ୍ୱାରା ଅତି ସନ୍ତର୍ପଣରେ ପାଦଧୂଳି ନେଇ ମୁଣ୍ଡରେ ଲଗାଉଥିଲା । ମୋ ଗୋଡ଼ରେ ହାତ ଦେବାକୁ ମଧ୍ୟ ସେ ସଙ୍କୁଚିତ ହେଉଥାଏ ।
୨୪. ଜାଣିଛି ତ ମା’, ଯେ ସୁପ୍ରାଣୀ, ତା’ ପାଇଁ କାନ୍ଦେ ମହାପ୍ରାଣୀ (ଅନ୍ତରାତ୍ମା) ।
୨୫. ସନ୍ତାନମାନେ ବର୍ତ୍ତମାନ ବୁଝିପାରୁଛନ୍ତି ଯେ ସଂସାର ଅନିତ୍ୟ । ସଂସାର ମଧ୍ୟରେ ଯେପରି ଲିପ୍ତ ହେବାକୁ ନ ପଡ଼େ, ସେଥିପାଇଁ ଚେଷ୍ଟା କର ।
୨୬. ପ୍ରଶ୍ନ-ମା’ , ସ୍ତ୍ରୀଲୋକମାନଙ୍କର ଅଶୁଚି ଅବସ୍ଥାରେ ଠାକୁରଙ୍କୁ ପୂଜା କରିବା ଉଚିତ କି ? ଉତ୍ତର-ହଁ ମା’, ଉଚିତ ହେବ, ଯଦି ଠାକୁରଙ୍କ ଉପରେ ତୁମର ସେପରି ଭକ୍ତି ଥାଏ । ଏ ବିଷୟରେ ମୁଁ ଠାକୁରଙ୍କୁ ପଚାରିଥିଲି । ଠାକୁରେ କହିଥିଲେ, ‘ପୂଜା ନ କଲେ ଯଦି ମନ ଖରାପ ହୁଏ, ତେବେ ପୂଜା କରିବ, ସେଥିରେ ଦୋଷ ହେବ ନାହିଁ ।’
୨୭. ଥରେ ଜଣେ ସ୍ତ୍ରୀ-ଭକ୍ତଙ୍କୁ ମା କହିଥିଲେ, ‘ଏ ଅବସ୍ଥାରେ (ଅଶୁଚି ଅବସ୍ଥାରେ) କଅଣ ଠାକୁର ଦେବତାଙ୍କ କାମ କରାଯାଏ ?-ତାହା କର ନାହିଁ ।‘
୨୮. ଯଦି ଶାନ୍ତି ଚାହଁ ମା’, ତେବେ କାହାରି ଦୋଷ ଦେଖିବ ନାହିଁ, ଦୋଷ ଦେଖିବ ନିଜର । ଜଗତକୁ ନିଜର କରିବାକୁ ଶିଖ । କେହି ପର ନୁହେଁ, ଜଗତ ତୁମର ।
୨୯. ସ୍ତ୍ରୀର ସ୍ୱାମୀ ହିଁ ଦେବତା, ସ୍ୱାମୀ ହିଁ ସବୁ । ସତୀ ସ୍ତ୍ରୀ ସ୍ୱାମୀକୁ ସର୍ବାପେକ୍ଷା ଭଲ ପାଇବ ।
୩୦. ସ୍ୱାମୀର ଭଲମନ୍ଦ ପ୍ରତି ଲକ୍ଷ୍ୟ ରଖିବା ଯେପରି ସ୍ତ୍ରୀର କର୍ତ୍ତବ୍ୟ, ସେହିପରି ସ୍ତ୍ରୀର ଧର୍ମରକ୍ଷା କରିବା ସ୍ୱାମୀର କର୍ତ୍ତବ୍ୟ । ଦେଖ ମା’, ସ୍ୱାମୀ ସ୍ତ୍ରୀ, ଏକମତ ହେଲେ ଯାଇ ଧର୍ମଲାଭ ହୁଏ ।
୩୧. ରାସ୍ତାରେ ରଥଟଣା ହେଉଥିଲା । ସେତେବେଳେ ମା କହିଥିଲେ, ‘ସମସ୍ତେ ତ ଜଗନ୍ନାଥ-ଦର୍ଶନ ପାଇଁ ଯାଇପାରନ୍ତି ନାହିଁ । ଯେଉଁମାନେ ଏଠାରେ (ରଥରେ ଠାକୁରଙ୍କୁ) ଦର୍ଶନ କରିବେ, ସେମାନଙ୍କର ମଧ୍ୟ ମୁକ୍ତି ହେବ ।’
୩୨. ଯିଏ ବ୍ୟାକୁଳ ହୋଇ ଡାକିବ, କେବଳ ସେ ତାଙ୍କର ଦେଖା ପାଇବ ।
୩୩. ଆଜି ଅକ୍ଷୟ ତୃତୀୟା ଦିନ, ମୁଁ ତୁମମାନଙ୍କୁ ଆଶୀର୍ବାଦ କରୁଛି, ‘ତୁମମାନଙ୍କର ମୁକ୍ତିଲାଭ ହେଉ ! ଜନ୍ମମୃତ୍ୟୁରେ ବଡ଼ ଯନ୍ତ୍ରଣା, ତୁମମାନଙ୍କୁ ଆଉ ଯେପରି ତାହା ଭୋଗିବାକୁ ନ ହୁଏ ।’
୩୪. ସ୍ତ୍ରୀ-ଲୋକମାନଙ୍କର ଏତେ ରାଗ କରିବା କଅଣ ଭଲ ? ସହିବାକୁ ପଡ଼ିବ । ଶୈଶବରେ ବାପ ମାଆଙ୍କ କୋଳ ଓ ଯୌବନରେ ସ୍ୱାମୀଙ୍କ ଆଶ୍ରୟ ବିନା ସ୍ତ୍ରୀଲୋକମାନଙ୍କୁ କେହି ଆବୁରି ପାରିବେ ନାହିଁ ।
୩୫. ଠାକୁରେ କହୁଥିଲେ, ‘ଜରୁ, ଗୋରୁ, ଧନ, ଏହି ତିନୋଟି ରଖିବ ଆପଣା ବିଦ୍ୟମାନ ।’
୩୬. ଠାକୁରଙ୍କୁ ଓ ମୋତେ ତୁମେମାନେ ଅଭେଦ ଦେଖିବ । ଯିଏ ଯେ କୌଣସି ଭାବରେ ଆମର ଦର୍ଶନ ପାଇବ, ସେହି ଭାବରେ ଧ୍ୟାନ ସ୍ତୁତି କରିବ ।-ଧ୍ୟାନ କରି ସାରିବା ପରେ ପୂଜା ମଧ୍ୟ ଶେଷ ହେବ । ଏହିଠାରୁ (ହୃଦୟରୁ ଆରମ୍ଭ) ଓ ଏହିଠାରେ (ମସ୍ତକରେ) ଶେଷ କରିବ-ଏହା କହି ମା’ ନିଜେ ତାହା ଦେଖାଇ ଦେଲେ ।
୩୭. ମନ୍ତ୍ର ତନ୍ତ୍ର କିଛି ନୁହେଁ ମା’, ଭକ୍ତି ହିଁ ସାର । ଠାକୁରଙ୍କ ମଧ୍ୟରେ ଗୁରୁ ଇଷ୍ଟ ସବୁ ପାଇବ । ସେ ହେଉଛନ୍ତି ସବୁ ।
୩୮. ପ୍ରତିଦିନ ୧୦/୧୫ ହଜାର ଜପ କରିପାରିଲେ ଯାଇ ହେବ । ମୁଁ ନିଜେ ଦେଖିଛି, ବାସ୍ତବିକ ହେବ । ଆଗେ କର, ତା’ପରେ କହିବ । ତେବେ ଟିକିଏ ମନ ଦେଇ କରିବାକୁ ହେବ ।
୩୯. ଧ୍ୟାନଜପର ଗୋଟିଏ ନିୟମିତ ସମୟ ରହିବା ଦରକାର । ସନ୍ଧିବେଳେ ତାଙ୍କୁ ଡାକିବା ଉଚିତ । ରାତି ଯାଉଛି; ଦିନ ଆସୁଛି; ପୁଣି ଦିନ ଯାଉଛି, ରାତି ଆସୁଛି-ଏହି ସମୟ ହେଲା ସନ୍ଧିବେଳ । ଏହିପରି ସମୟରେ ମନ ଶାନ୍ତ ଓ ପବିତ୍ର ଥାଏ ।...ଅସୁସ୍ଥ ହେଲେ କିମ୍ବା କାର୍ଯ୍ୟର ଝନ୍ଝଟ ମଧ୍ୟରେ ଥରେ ସ୍ମରଣ କିମ୍ବା ପ୍ରଣାମ କଲେ ମଧ୍ୟ ଚଳିବ ।
୪୦. ଜପ ତପ ଦ୍ୱାରା କର୍ମବନ୍ଧନ କଟିଯାଏ; କିନ୍ତୁ ପ୍ରେମଭକ୍ତି ବ୍ୟତୀତ ଭଗବାନଙ୍କୁ ପାଇବା ଦୁଷ୍କର ।
୪୧. ଜପ ତପ କଅଣ ଜାଣ ? ଏହାଦ୍ୱାରା ଇନ୍ଦ୍ରିୟ-ସଂଯମ ହୁଏ । ...ଗୋପବାଳକମାନେ କଅଣ କୃଷ୍ଣଙ୍କୁ ଜପଧ୍ୟାନ କରି ପାଇଥିଲେ ? ନା । ସେମାନେ-ଆ-ରେ, ଖା-ରେ, ନେ-ରେ, ଏପରି କହି କୃଷ୍ଣଙ୍କୁ ପାଇଥିଲେ । (ପ୍ରେମର ମାଧ୍ୟମରେ)
୪୨. ଭଗବାନଙ୍କୁ କିଏ ବାନ୍ଧିପାରିଛି କହିଲ ଭଲା ? ସେ ନିଜେ ନିଜେ ଧରା ଦେଇଥିଲେ ବୋଲି ତ ଯଶୋଦା ତାଙ୍କୁ ବାନ୍ଧିପାରିଥିଲେ ।
୪୩. ମଣିଷକୁ ଭଲ ପାଇଲେ ଅନେକ ଦୁଃଖ କଷ୍ଟ ମିଳେ ଓ ମନର ଅଯଥା ଶକ୍ତି ଖର୍ଚ୍ଚ ହୁଏ । ଭଗବାନଙ୍କୁ ଭଲ ପାଇଲେ ଯାଇ ପ୍ରକୃତ ଶାନ୍ତିଲାଭ କରାଯାଏ ।
୪୪. ଯେଉଁମାନେ ସ୍ୱାମୀ, ପିଲାପିଲିଙ୍କୁ ନେଇ ସଂସାରରେ ରହି ସେମାନଙ୍କର ସେବାଯତ୍ନ କରି ଭଗବାନଙ୍କୁ ଡାକିପାରନ୍ତି, ସେମାନେ ନିଶ୍ଚୟ ତାଙ୍କର ଦର୍ଶନ ପାଇବେ ।
୪୫. ସର୍ବଦା ଇଷ୍ଟଚିନ୍ତା କରୁଥିଲେ ଅନିଷ୍ଟ କପରି ହେବ ?
୪୬. ମୋର ପିଲାମାନେ ଯଦି ଧୂଳି କାଦୁଅ ବୋଳି ହୁଅନ୍ତି, ତେବେ ମୋତେ ତ ଧୂଳି କାଦୁଅ ସଫାକରି ତାଙ୍କୁ କୋଳକୁ ନେବାକୁ ହେବ !
୪୭. ପିତୃଗୃହ, ପତିଗୃହ କିମ୍ବା ଅନ୍ୟ ଯେଉଁଠାରେ ଥାଅ ନା କାହିଁକି, ସେବା ହେଉଛି ସ୍ତ୍ରୀଲୋକମାନଙ୍କର ପ୍ରଧାନ କାମ ।
୪୮. କନ୍ୟାରୂପେ, ପତ୍ନୀରୂପେ, ମାତୃରୂପେ ବା ଅନ୍ୟ ଯେ କୌଣସି ଭାବରେ ସେବା କରିବା ହିଁ ହେଉଛି ନାରୀର ଧର୍ମ ।
୪୯. ସ୍ତ୍ରୀଲୋକମାନେ ପଢ଼ାପଢ଼ି କରିବେ, ବିଦ୍ୟାଲାଭ କରିବେ; କିନ୍ତୁ ସେମାନଙ୍କର ଛୁଞ୍ଚିପରି ତୀକ୍ଷଣ୍ ବୁଦ୍ଧି ଭଲ ନୁହେଁ । ସେମାନେ ଯଦି ଠକି ଯାଆନ୍ତି, ତାହା ବରଂ ଭଲ, ଜିଣିବା ଦରକାର ନାହିଁ । ସେମାନେ ସରଳ ହେବେ ଓ ପବିତ୍ର ଭାବରେ ରହିବେ ।
୫୦. ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ଉଚିତ ନୁହେଁ । ଏପରି କି ବିପତ୍ନୀକ ମଧ୍ୟ ଦ୍ୱିତୀୟ ବିବାହ ନ କରିବା ଶ୍ରେୟସ୍କର । ‘ଏକନାରୀ ସଦାବ୍ରତୀ, ଏକାହାରୀ ସଦା ଯତି ।’
୫୧. ଦେଖ ମା’, ଚାପୁଡ଼ାମାଡ଼ ଡରରେ ରାମନାମ ଅନେକ କରନ୍ତି; କିନ୍ତୁ ଶୈଶବରୁ ନିଜର ମନଟିକୁ ଯିଏ ଠାକୁରଙ୍କ ପାଦପଦ୍ମରେ ଅର୍ପଣ କରିପାରେ ସେ ଧନ୍ୟ ।
୫୨. ମୁଁ ଆଉ କଅଣ ଉପଦେଶ ଦେବି ? ଠାକୁରଙ୍କ କଥା ସବୁ ବହିରେ ଲେଖା ହୋଇ ବାହାରିଲାଣି । ତାଙ୍କର ଗୋଟିଏ ମାତ୍ର କଥା ଧାରଣ କରି ଯଦି ଚଳିପାର ତାହେଲେ ସବୁ ହେବ ।
୫୩. ଉପଦେଶ ଗ୍ରହଣ କରିପାରିବ-ଏପରି ଆଧାର କାହିଁ ମା’ ? -ଆଧାର ହେଲା ଅସଲ, ଆଧାର ନ ଥିଲେ କିଛି ହେବ ନାହିଁ ।
୫୪. ତୁମମାନଙ୍କର ଆଉ ଦାୟିତ୍ୱ କଅଣ ? ତୁମ୍ଭେମାନେ ତ ମନ୍ତ୍ରଟି ନେଇ ଖଲାସ, କିନ୍ତୁ ତା’ପରେ ?
୫୫. ହଁ ମା’, ଠାକୁରେ ମଧ୍ୟ ତାହା କହୁଥିଲେ-ଅନ୍ୟର ପାପ ଗ୍ରହଣ କରି ରୋଗ ହୁଏ । ତା’ ନ ହେଲେ ଏହି ଦେହରେ କଅଣ ରୋଗ ହେବା କଥା ?
୫୬. ନୂଆ ଭକ୍ତମାନଙ୍କୁ ଠାକୁର ସେବା କରିବାକୁ ଦେବା ଉଚିତ । କାରଣ ସେମାନଙ୍କର ନବାନୁରାଗ-ସେଥିରେ ସେବା ଭଲ ହୁଏ ।
୫୭. ଚନ୍ଦନ ଭଲ କରି ଘସିବ । ଫୁଲ ବେଲପତ୍ର ଯେପରି ଖଣ୍ଡିଆ ନ ହୁଏ । ଅତି ଯତ୍ନ ସହିତ ଏହିସବୁ କରିବ, ଆଉ ଭୋଗ ଠିକ୍ ସମୟରେ ଦେବ ।
୫୮. ଦେଖ ମା’, ସ୍ୱାମୀ ସ୍ତ୍ରୀ ଏକମତ ହେଲେ ଯାଇ ଧର୍ମ ହୁଏ ।
୫୯. ସମସ୍ତେ କୁହନ୍ତି ମୋର ଏତେ ଦୁଃଖ ! ସେମାନେ କହୁଥାନ୍ତି-ଭଗବାନଙ୍କୁ ଏତେ ଡାକିଲି, ତଥାପି ମୋର ଦୁଃଖ ଘୁଞ୍ଚିଲା ନାହିଁ । ଭଗବାନ କିନ୍ତୁ ଦୟାକରି ଆମମାନଙ୍କୁ ଦୁଃଖ ଦେଇଥାଆନ୍ତି ।
୬୦. ଭିକାରୀକୁ ଅନ୍ତତଃ ମୁଠାଏ ଚାଉଳ ଭିକ୍ଷା ଦେବା ଉଚିତ୍ । ଯାହାର ଯାହା ପ୍ରାପ୍ୟ, ସେଥିରୁ ତାକୁ ବଞ୍ଚିତ କରିବା ଉଚିତ ନୁହେଁ ।
୬୧. ମୁଁ ତ ଅଶାନ୍ତି ବୋଲି କିଛି ଦେଖିଲି ନାହିଁ । ଆଉ ଇଷ୍ଟଦର୍ଶନ, ସେ ତ ମୋ’ ହାତମୁଠାରେ-ଥରେ ବସିବା ମାତ୍ରେ ତାଙ୍କୁ ଦେଖିବାକୁ ପାଏ ।
୬୨. ଟଙ୍କା ପଇସାରେ କଅଣ ଅଛି ମା’ ? ଠାକୁରେ ତ ଟଙ୍କା ଛୁଇଁପାରୁ ନ ଥିଲେ ।
୬୩. ସ୍ୱାମୀ କୁହ, ପୁତ୍ର କୁହ, ଦେହ କୁହ, ସବୁ ମାୟା; ଏଗୁଡ଼ିକ ବନ୍ଧନ । ଏହି ବନ୍ଧନକୁ ଚ୍ଛିନ୍ନ ନ କରିପାରିଲେ ଏହି ସଂସାରସମୁଦ୍ର ପାର ହୋଇପାରିବ ନାହିଁ, ଅର୍ଥାତ୍ ଜୀବ ମୁକ୍ତ ହୋଇପାରିବ ନାହିଁ ।
୬୪. ଭଗବାନ ମଣିଷ ଦେହ ମଧ୍ୟରେ ଅଛନ୍ତି । ଲୋକେ ତାହା ନ ଜାଣି ଘୂରି ଘୂରି ମରୁଛନ୍ତି । ....ଭଗବାନ ହିଁ ସତ୍ୟ, ଆଉ ସବୁ ମିଥ୍ୟା ।
୬୫. (ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ କହୁଛନ୍ତି) କିପରି ପୁରୁଷ ସେ ଥିଲେ । କି ସଦାନନ୍ଦ ପୁରୁଷ ସେ ଥିଲେ ! କେତେ ଲୋକଙ୍କର ଚୈତନ୍ୟ ହେଲା !
୬୬. ଶ୍ରୀଠାକୁରେ ଭଗବାନଙ୍କ ବିଷୟ ଛଡ଼ା ଆଉ କିଛି କହୁ ନଥିଲେ । ସେ କହୁଥିଲେ, ‘କେବଳ ଭଗବାନ ହିଁ ନିତ୍ୟ, ତାଙ୍କୁ ଡାକିପାରିବା ହିଁ ଯଥାର୍ଥ କାମ ।’
୬୭. ପୂର୍ବଜନ୍ମର କେତେ ସୌଭାଗ୍ୟରୁ ଆମ୍ଭେମାନେ ଏହି ମାନବ ଜନ୍ମ ପାଇଛେ । ଯେତେ ପାର ଭଗବାନଙ୍କୁ ଡାକିଯାଅ । ଖଟିବାକୁ ହେବ, ନ ଖଟିଲେ କଅଣ କିଛି ହେବ ? ସଂସାରରେ କାମଦାମ କରୁଥିବା ବେଳେ ମଧ୍ୟ ଗୋଟିଏ ସମୟ କରି ଭଗବାନଙ୍କୁ ଡାକିବାକୁ ହୁଏ ।
୬୮. ଜପଧ୍ୟାନ କରୁ କରୁ ଦେଖିବ (ଠାକୁରଙ୍କୁ ନିର୍ଦ୍ଦେଶ କରି) ସେ କଥା କହିବେ, ମନ ମଧ୍ୟରେ ଯେଉଁ ବାସନା ଥିବ, ତାହା ପୂର୍ଣ୍ଣ କରିଦେବେ-କି ଅପୂର୍ବ ଶାନ୍ତି ସେତେବେଳେ ପ୍ରାଣରେ ପାଇବ !
୬୯. ସାଧନ କରୁ କରୁ ଦେଖିବ, ମୋ ଅନ୍ତରରେ ଯିଏ, ତୁମ ଅନ୍ତରରେ ମଧ୍ୟ ସିଏ । ନୀଚ ଜାତି ମଣିଷଙ୍କ ଅନ୍ତରରେ ମଧ୍ୟ ସେ ବିରାଜମାନ-ଏହିପରି ଭାବିଲେ ସିନା ଅହଂକାର କଟିବ ।
୭୦. ସେ (ଠାକୁରେ) କହୁଥିଲେ, ‘କର୍ମ କରିବାକୁ ହେବ, ସ୍ତ୍ରୀ ଲୋକମାନଙ୍କର ବସିରହିବା ଉଚିତ ନୁହେଁ । ବସି ରହିଲେ ନାନା ପ୍ରକାର କୁଚିନ୍ତା ପ୍ରବେଶ କରେ ।’
୭୧. ସ୍ତ୍ରୀ ପକ୍ଷରେ ଗୁରୁ ଆଉ ସ୍ୱାମୀ-ତ୍ୟାଗ କରାଯାଏ ନାହିଁ । ବିବାହିତା ସ୍ତ୍ରୀ ଶତ ଦୁଃଖ ପାଇଲେ ସୁଦ୍ଧା ସ୍ୱାମୀର ସେବା କରିବ ।
୭୨. ପତିଙ୍କର ଚିତ୍ତ ଯଦି ପ୍ରକୃତରେ ଭଗବତ୍-ଅଭିମୁଖୀ ହୋଇଥାଏ ତେବେ ସାଧ୍ୱୀ ପତ୍ନୀର କର୍ତ୍ତବ୍ୟ ହେଉଛି, ତାହାଙ୍କୁ ସେହି ଧର୍ମପଥରେ ଉତ୍ସାହ ଦେବା ଏବଂ ସେହି ପଥରେ ନିଜର ଜୀବନକୁ ମଧ୍ୟ ପରିଚାଳିତ କରିବା । ଏଥିରେ ଉଭୟଙ୍କର କଲ୍ୟାଣ ହେବ ।
୭୩. ସ୍ତ୍ରୀଲୋକମାନଙ୍କର ପବିତ୍ର ଭାବରେ ରହିବା କଅଣ ସହଜ କଥା ! ସତୀ ସ୍ତ୍ରୀଙ୍କ ସମ୍ମୁଖରେ ମୁନି, ଋଷି, ଦେବତା, ଗନ୍ଧର୍ବ ମଧ୍ୟ ହାତ ଯୋଡ଼ି ସ୍ତବ୍ଧ ହୋଇ ରହନ୍ତି ।
୭୪. ସ୍ତ୍ରୀଲୋକମାନଙ୍କର ପାଠ ପଢ଼ି ପଣ୍ଡିତ ହେବା ବଡ଼ କଥା ନୁହେଁ, ରୂପ ମଧ୍ୟ ବଡ଼ କଥା ନୁହେଁ । ସେମାନଙ୍କର ଅସଲ କଥା ପବିତ୍ରତା ।
୭୫. ଠାକୁରେ କହୁଥିଲେ, ‘ଛାୟା କାୟା, ଘଟ-ପଟ ସମାନ ।’
୭୬. ଠାକୁରେ କହୁଥିଲେ, ‘ଲୋକେ ରୋଗ, ଶୋକ, ପାପତାପ ନେଇ, କେତେ ଦୁଷ୍କର୍ମ କରି ଆସି ମୋତେ ଛୁଅଁନ୍ତି, ସେହିସବୁ ଏହି ଦେହରେ ଆଶ୍ରୟ କରିଛି ।’ ଏ କଥା ଠିକ୍ ମା’ !
୭୭. (ଠାକୁରେ) ମୋତେ ଦିନେ କହିଲେ, ‘ଦେଖିବ, ଏହାପରେ ଘରେ ଘରେ ମୋର ପୂଜା ହେବ । ଏହାକୁ (ଠାକୁରଙ୍କୁ) ସମସ୍ତେ ମାନିବେ, ତମେ ଚିନ୍ତା କର ନାହିଁ ।’
୭୮. ଶ୍ରୀଠାକୁର ମୋତେ କହିଥିଲେ, ‘ମୋର ଚିନ୍ତା ଯିଏ କରେ, ତାହାର ସାମାନ୍ୟ ଖାଇବା ପିଇବା କଷ୍ଟ ହେବ ନାହିଁ ।’
୭୯. ହରିଦାସୀ (ଜନୈକ ସ୍ତ୍ରୀ-ଭକ୍ତ) ଠାକୁରଙ୍କ ଜନ୍ମସ୍ଥାନର ଧୂଳି ସାଉଁଟି ପାଖରେ ରଖିଥିଲା । ସେ କହିଲା-‘ଏହିଠାରେ ତ ନବଦ୍ୱୀପ, ସ୍ୱୟଂ ଗୌରାଙ୍ଗ ଏଠାକୁ ଆସିଛନ୍ତି; ଆଉ କାହିଁକି ନବଦ୍ୱୀପକୁ ଯିବି ?’ ଆହା କି ବିଶ୍ୱାସ !
୮୦. ବୁଝିଲ ମା’, ମୁଁ କିଛି ନୁହେଁ । ଠାକୁରେ ହିଁ ସବୁ । ତୁମେ ସବୁ ଠାକୁରଙ୍କ ପାଖରେ ଏଇୟା କୁହ (ହାତଯୋଡ଼ି ଠାକୁରଙ୍କୁ ପ୍ରଣାମ କଲେ) ମୋର ଅହଙ୍କାର ଯେପରି ନ ଆସେ ।
୮୧. ହରି ଓ ତାଙ୍କ ପ୍ରସାଦ ମଧ୍ୟରେ କୌଣସି ପ୍ରଭେଦ ନାହିଁ ମନରେ ଏହି ସ୍ଥିର ବିଶ୍ୱାସ ରଖ ।
୮୨. କୌଣସି ଏକ ଭକ୍ତର ଦର୍ଶନାଦି କଥା ଶୁଣି ମା’ ଆନନ୍ଦରେ କହୁଛନ୍ତି, ‘ଆହା! ସେ ଆନନ୍ଦ କଅଣ ଆଉ ପ୍ରତିଦିନ ହୁଏ ମା’ ! ତାହା ସବୁ ସତ୍ୟ, ସବୁ ସତ୍ୟ, କିଛି ମିଥ୍ୟା ନୁହେଁ, ମା’ ! ସେ ହେଉଛନ୍ତି ସବୁ । ସେ ପ୍ରକୃତି, ସେ ପୁରୁଷ । ‘ଓଁ‘ ରୁ ସବୁ ବାହାରିଛି ।
୮୩. କୁଳକୁଣ୍ଡଳିନୀ ଜାଗ୍ରତ ନ ହେଲେ ଏପରି ଅନୁଭବ ହୁଏ ନାହିଁ । ଡାହାଣ ଆଡ଼ୁ ଯାହା (ଯେଉଁ ଜାଗରଣ ଅନୁଭବ) ହୁଏ, ତାହା ଠିକ୍ । ତା’ପରେ ମନ ଗୁରୁ ହୋଇଯାଏ । ମନସ୍ଥିର କରି ଦୁଇ ମିନିଟ୍ ମଧ୍ୟ (ଈଶ୍ୱରଙ୍କୁ) ଡାକିପାରିବା ଭଲ ।
୮୪. ଶ୍ରୀଶ୍ରୀମା’ଙ୍କ ଦେହ ଖୁବ୍ ଅସୁସ୍ଥ । ଜନୈକା ମହିଳା ଭକ୍ତ କହିଲେ, ‘ଆଉ କାହାରିକୁ ଦୀକ୍ଷା ଦିଆଯିବ ନାହିଁ । ଲୋକମାନଙ୍କ ପାପଭାର ଭାର ଗ୍ରହଣ କରି ଆପଣଙ୍କର ଏହି ଯନ୍ତ୍ରଣା ହେଉଛି ।’ ଏହା ଶୁଣି ମା’ ମୃଦୁ ହାସ୍ୟ କରି କହିଲେ, ‘କାହିଁକି ମା’, ଠାକୁରେ କଅଣ ଖାଲି ରସଗୋଲା ଖାଇବାକୁ ଆସିଛନ୍ତି ? ’
୮୫. ଜନୈକ ଭକ୍ତ ସାଧନ ଭଜନ କିପରି କରିବାକୁ ହେବ ପ୍ରଶ୍ନ କରିବାରୁ ଶ୍ରୀଶ୍ରୀମା କହିଲେ, ‘ତୁମକୁ କିଛି କରିବାକୁ ହେବ ନାହିଁ ।’ ପୁଣି ଥରେ ଏହିପରି ପ୍ରଶ୍ନର ଉତ୍ତରରେ ମା’ କହିଲେ, ‘ତୁମ ପାଇଁ ଯାହା କରିବାକୁ ହେବ, ତାହା ମୁଁ କରିବି । ତୁମକୁ କିଛି କରିବାକୁ ହେବ ନାହିଁ ।’
୮୬. ଶ୍ରାଦ୍ଧ ଅନ୍ନ ଭୋଜନ କରିବାକୁ ଠାକୁରେ ବିଶେଷ ନିଷେଧ କରୁଥିଲେ । ସେଥିରେ ଭକ୍ତିର ହାନି ହୁଏ । ସବୁ କର୍ମରେ ଯଜ୍ଞେଶ୍ୱର ନାରାୟଣଙ୍କର ଅର୍ଚ୍ଚନା ହୁଏ ସତ, ତେବେ ସେ ଶ୍ରାଦ୍ଧାନ୍ନ ଭୋଜନ କରିବାକୁ ମନା କରୁଥିଲେ । କିନ୍ତୁ ଆତ୍ମୀୟସ୍ୱଜନଙ୍କର ଶ୍ରାଦ୍ଧରେ ନ ଖାଇ ଉପାୟ କଅଣ ?
୮୭. ବନ୍ୟାରେ ଲୋକମାନଙ୍କର ବହୁତ କଷ୍ଟ ହେଉଛି । ଏହା ଶୁଣି ମା କରୁଣସ୍ୱରରେ କହିଲେ, ‘ବାବା ଜଗତର ମଙ୍ଗଳ କର ।’
୮୮. ଜଣେ ଜଣେ ଯେତେବେଳେ ମୋତେ ପ୍ରଣାମ କରନ୍ତି, ସେତେବେଳେ ବିରୁଡ଼ି ଶୁ‘ ମାରିଦେଲା ଭଳି ଯନ୍ତ୍ରଣା ବୋଧହୁଏ । କିନ୍ତୁ ମୁଁ କାହାରିକୁ କିଛି କହେ ନାହିଁ ।
୮୯. ଭୟ କଅଣ ବାବା, ସବୁବେଳେ ଜାଣିବ ଯେ ଠାକୁର ତୁମ ପଛରେ ରହୁଛନ୍ତି । ମୁଁ ରହୁଛି । ମୁଁ ମା’ ରହିଛି । ତେଣୁ ଭୟ କଅଣ ?
୯୦. ଠାକୁରେ ପରା କହିଛନ୍ତି, ‘ଯେଉଁମାନେ ତୁମ ନିକଟକୁ ଆସିବେ, ମୁଁ ଶେଷ ସମୟରେ ଆସି ସେମାନଙ୍କର ହାତ ଧରି ନେଇଯିବି ।’
୯୧. ଯାହାର ଯାହା ଖୁସି କର, ଯେପରି ଖୁସି ସେହିପରି ଭାବରେ ଚଳ । ଠାକୁରଙ୍କୁ କିନ୍ତୁ ଶେଷ ବେଳକୁ ଆସିବାକୁ ହେବ, ତୁମମାନଙ୍କୁ ନେବା ପାଇଁ ।
୯୨. ସୁଯୋଗ ଉପସ୍ଥିତ ହେବା ମାତ୍ରେ ଭଲମନ୍ଦ ସମୟ ଅପେକ୍ଷା ନ କରି ପୁଣ୍ୟ କାର୍ଯ୍ୟ କରି ପକାଇବା ଭଲ ।
୯୩. ଠାକୁରଙ୍କ ପ୍ରତି ଭକ୍ତି ରଖ । ଯେତେବେଳେ କଷ୍ଟ ହେବ, ଠାକୁରଙ୍କୁ ଜଣାଇବ ।
୯୪. ଠାକୁରେ ଏକମାତ୍ର ରକ୍ଷାକର୍ତ୍ତା, ଏହି କଥାଟି ସବୁବେଳେ ମନେ ରଖିବ । ଏହା ଭୁଲିଲେ ଚଳିବ ନାହିଁ ।
୯୫. ଜପଧ୍ୟାନ କରିବ, ସତ୍ସଙ୍ଗ ରଖିବ, ଅହଂକାରକୁ କୌଣସିମତେ ମୁଣ୍ଡ ଟେକିବାକୁ ଦେବ ନାହିଁ ।
୯୬. ଯିଏ ଠାକୁରଙ୍କ ଶରଣାଗତ ହୁଏ, ତାକୁ ବ୍ରହ୍ମଶାପ ମଧ୍ୟ କିଛି କରିପାରିବ ନାହିଁ । ମୋର କୌଣସି ଭୟ ନାହିଁ ।
୯୭. ବାବା ! ଠାକୁରେ ଦୟା କରିବେ, ତାହାଙ୍କୁ ଡାକ, ଆଉ ସତ୍ସଙ୍ଗ କର, ସାଧନ-ଭଜନ କର । ଠାକୁରଙ୍କୁ ଡାକିଲେ ସବୁ ହେବ ।
୯୮. ଏଠାକୁ (ଠାକୁରଙ୍କ ଆଶ୍ରୟକୁ) ଯିଏ ଆସିଛି, ଯେଉଁମାନେ ମୋର ସନ୍ତାନ, ସେମାନଙ୍କର ମୁକ୍ତି ନିଶ୍ଚୟ । ବିଧିର ସାଧ୍ୟ ନାହିଁ ଯେ ମୋର ସନ୍ତାନମାନଙ୍କୁ ରସାତଳକୁ ପକାଇବ ।
୯୯. ସତ୍ସଙ୍ଗ କର, ଭଲ ହେବାକୁ ଚେଷ୍ଟା କର । କ୍ରମେ ସବୁ ହେବ ।
୧୦୦. ଠାକୁରଙ୍କୁ ଡାକ, ମୁଁ ରହିଲି । ତୁମ୍ଭେମାନେ ଏ ଜନ୍ମରେ ମୁକ୍ତ ହୋଇ ରହିଛ, ଜାଣିବ । ଭୟ କଅଣ, ବେଳ ଆସିଲେ ସେ ସବୁ କରିଦେବେ । ୧୦୧. ଆନ୍ତରିକ ହେଲେ ଶେଷରେ ଏଠାରେ (ଠାକୁରଙ୍କ ଆଶ୍ରୟରେ) ଆସି ପହଞ୍ଚିବ-ଦେଖୁ ନାହଁ, ବର୍ତ୍ତମାନ ତାରକ ବ୍ରହ୍ମନାମର ଚାରିଆଡ଼େ ପ୍ରଚାର ହେଉଛି; ଟିକିଏ ସାର ଥିଲେ କେହି ବାଦ୍ ଯିବେ ନାହିଁ । (ଅର୍ଥାତ୍ ସମସ୍ତେ ଶାନ୍ତି ପାଇବେ ।)