ସ୍ଵାମୀ ବିବେକାନନ୍ଦଙ୍କ ଉପଦେଶ

ଯୁଗାବତାର

୧. ଓଁ ସ୍ଥାପକାୟ ଚ ଧର୍ମସ୍ୟ ସର୍ବଧର୍ମସ୍ୱରୂପିଣେ ।
    ଅବତାରବରିଷ୍ଠାୟ ରାମକୃଷ୍ଣାୟ ତେ ନମଃ ॥

    ଧର୍ମର ପ୍ରତିଷ୍ଠାତା, ସର୍ବଧର୍ମସ୍ୱରୂପ, ଅବତାରଶ୍ରେଷ୍ଠ ହେ ରାମକୃଷ୍ଣ ! ତୁମକୁ ପ୍ରଣାମ !

୨. ରାମକୃଷ୍ଣ ଅବତାରରେ ଜ୍ଞାନ, ଭକ୍ତି ଓ ପ୍ରେମ । ଅନନ୍ତ ଜ୍ଞାନ, ଅନନ୍ତ ପ୍ରେମ, ଅନନ୍ତ କର୍ମ, ଅନନ୍ତ ଜୀବ ପ୍ରତି ଦୟା ।

୩. ସମଗ୍ର ହିନ୍ଦୁ ଜାତି ସହସ୍ର ଯୁଗ ଧରି ଯାହା ଚିନ୍ତା କରିଆସିଛି, ସେ (ଶ୍ରୀରାମକୃଷ୍ଣ) ଏକ ଜୀବନରେ ହିଁ ସେହି ସମୁଦାୟ ଭାବ ଉପଲବ୍ଧି କରିଛନ୍ତି । ତାଙ୍କ ଜୀବନ ସକଳ ଜାତିର ବେଦ ସମୂହର ଜୀବନ୍ତ ଟୀକାସ୍ୱରୂପ ।

୪. ସର୍ବଭାବର ଏପରି ସମନ୍ୱୟ ଜଗତର ଇତିହାସରେ ଆଉ କେଉଁଠି କଅଣ ଦେଖିବାକୁ ମିଳେ ? ଏଥର ବୁଝ ସେ କିଏ ଦେହ ଧାରଣ କରି ଆସିଥିଲେ । ଅବତାର କହିଲେ ତାଙ୍କୁ ଛୋଟ କରାହୁଏ ।

୫. ସେ (ଶ୍ରୀରାମକୃଷ୍ଣ) ଯେଉଁ ଦିନରୁ ଜନ୍ମିଛନ୍ତି, ସେହି ଦିନରୁ ସତ୍ୟଯୁଗ ଆସିଛି । ଏବେ ସବୁ ଭେଦାଭେଦ ଉଠିଗଲା । ଆଚଣ୍ଡାଳ ପ୍ରେମ ପାଇବେ । ଆଉ ସେ ହେଉଛନ୍ତି ବିବାଦଭଞ୍ଜନ-ହିନ୍ଦୁ-ମୁସଲମାନ ଭେଦ, ଖ୍ରୀଷ୍ଟାନ୍-ହିନ୍ଦୁ ଭେଦ ଇତ୍ୟାଦି ସବୁ ଚାଲିଗଲା । ଏହି ସତ୍ୟଯୁଗରେ ଏକ ବର୍ଣ୍ଣ, ଏକ ବେଦ ହେବ ଏବଂ ସମଗ୍ର ଜଗତରେ ଶାନ୍ତି ଓ ସମନ୍ୱୟ ସ୍ଥାପିତ ହେବ । ଏହି ସତ୍ୟଯୁଗର ଧାରଣା ଅବଲମ୍ବନ କରି ଭାରତ ଆଉଥରେ ନବଜୀବନ ଲାଭ କରିବ ।

୬. ଏହି ନୂତନ ଅବତାର ବା ଶିକ୍ଷକଙ୍କର ଏହି ଶିକ୍ଷା ଯେ-ଏବେ ଯୋଗ, ଭକ୍ତି, ଜ୍ଞାନ ଓ କର୍ମର ଉତ୍କୃଷ୍ଟ ଭାବ ଏକ କରି ନୂତନ ସମାଜ ଗଠନ କରିବାକୁ ହେବ ।

୭. ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ ।

୮. ଯିଏ ତାଙ୍କର ସେବା ପାଇଁ-ତାଙ୍କର ସେବା ନୁହେଁ-ତାଙ୍କ ସନ୍ତାନଙ୍କର-ଗରିବଗୁରବା, ପାପୀତାପୀମାନଙ୍କର ସେବା ପାଇଁ ଯିଏ ତିଆରି ହେବେ, ତାଙ୍କ ଭିତରେ ସେ ଆସିବେ, ତାଙ୍କ ମୁହଁରେ ସରସ୍ୱତୀ ବସିବେ । ତାଙ୍କ ବକ୍ଷରେ ମହାମାୟା ମହାଶକ୍ତି ରୂପେ ଅଧିଷ୍ଠିତ ହେବେ ।

ଭାରତର ମହିମା

୯. ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ ।

୧୦. ଏହି ସେହି ଭାରତ, ଯାହା ବହୁ ଶତାବ୍ଦୀର ଘାତ-ପ୍ରତିଘାତ, ଶତ ଶତ ବୈଦେଶିକ ଆକ୍ରମଣ, ଶତ ଶତ ଅଭିନବ ସାମାଜିକ ପ୍ରଥା ଓ ଆଚାରର ଆବିର୍ଭାବ ସତ୍ତ୍ୱେ ଏପର୍ଯ୍ୟନ୍ତ ବଞ୍ଚି ରହିଛି । ବାସ୍ତବିକ ଭାରତର ଜୀବନ ଅମର, ପ୍ରାଣଶକ୍ତି ଅଫୁରନ୍ତ । ତାହା ଭୂପୃଷ୍ଠର ଯେ କୌଣସି ପର୍ବତ ଅପେକ୍ଷା ବି ଅଟଳ, ବସ୍ତୁତଃ ଭାରତର ଜୀବନ ଆତ୍ମା ପରି ଅନାଦି, ଅନନ୍ତ ଓ ଅନିର୍ବାଣ ।

୧୧. ଏହିପରି ଦେଶର ସନ୍ତାନ ଆମେ । ଯେତେବେଳେ ଗ୍ରୀସ୍ର ଜନ୍ମ ହୋଇ ନାହିଁ, ରୋମ୍ର କଥା କେହି ଭାବି ନାହିଁ, ବର୍ତ୍ତମାନର ୟୁରୋପୀୟମାନଙ୍କର ପୂର୍ବପୁରୁଷମାନେ ବିଚିତ୍ର ଅଙ୍ଗରାଗରେ ରଞ୍ଜିତ ଅସଭ୍ୟ ଅରଣ୍ୟବାସୀ ମାତ୍ର ଥିଲେ, ସେହି ସୁଦୂର ଯୁଗରେ ଭାରତ ତାହାର ସଂସ୍କୃତିର ସାଧନାରେ କର୍ମମୁଖର । ତାହା ପୂର୍ବରୁ ମଧ୍ୟ, ଯେଉଁ ଦୂର ଅତୀତର ଖବର ଇତିହାସରେ ମିଳେ ନାହିଁ, ଯାହାର କୁହେଳି ଭେଦ କରିବାକୁ କିମ୍ବଦନ୍ତୀ ମଧ୍ୟ ସଂକୁଚିତ, ସେହି ସମୟଠାରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ କେତେ ଉଚ୍ଚ ଉଚ୍ଚ ଭାବ, ଶାନ୍ତି ଓ ଶୁଭେଚ୍ଛାର ବାଣୀ ଭାରତରୁ ଜଗତକୁ ବିସ୍ତୃତ ହୋଇଛି ।

୧୨. ବିଶ୍ୱର ଇତିହାସ ପର୍ଯ୍ୟାଲୋଚନା କର-ଯେଉଁଠି କୌଣସି ସୁମହାନ୍ ଆଦର୍ଶର ସନ୍ଧାନ ମିଳିବ, ଦେଖିବାକୁ ପାଇବ ଜନ୍ମ ତା’ର ଭାରତବର୍ଷରେ । ସ୍ମରଣାତୀତ କାଳରୁ ଭାରତ ମାନବସମାଜ ପାଖରେ ଅମୂଲ୍ୟ ଭାବସମୂହର ଖଣିସ୍ୱରୂପ ହୋଇ ରହିଛି । ବସ୍ତୁତଃ ଏହି ଦେଶରୁ ହିଁ ଦାର୍ଶନିକ ଓ ଆଧ୍ୟାତ୍ମିକ ଭାବତରଙ୍ଗ ଉଚ୍ଛ୍ୱସିତ ହୋଇ ବାରମ୍ବାର ଜଗତକୁ ପ୍ଳାବିତ କରିଛି । ପୁନରାୟ ଭାରତବର୍ଷରୁ ହିଁ ଏପରି ଏକ ମହାପ୍ଳାବନ ନିର୍ଗତ ହୋଇ ମୁମୂର୍ଷୁ ଜାତିଗୁଡ଼ିକର ଅନ୍ତରରେ ନୂତନ ଜୀବନ ଓ ବଳବୀର୍ଯ୍ୟର ଅପୂର୍ବ ଶକ୍ତି ସଞ୍ଚାର କରିବ ।

୧୩. ବାସ୍ତବିକ ଆମର ମାତୃଭୂମି ନିକଟରେ ଜଗତର ଋଣ ଅପରିସୀମ । ପ୍ରଭାତର କୋମଳ ଶିଶିରକଣା ଯେପରି ଲୋକଚକ୍ଷୁର ଅନ୍ତରାଳରେ ମନୋରମ ଗୋଲାପର କଢ଼ଗୁଡ଼ିକୁ ଫୁଟାଇ ତୋଳେ, ବିଶ୍ୱର ଚିନ୍ତାଧାରାରେ ଭାରତର ଅବଦାନ ମଧ୍ୟ ଠିକ୍ ସେହିପରି । ଅବ୍ୟର୍ଥ ଫଳପ୍ରସୁ ଭାରତୀୟ ଭାବପୁଞ୍ଜର ନୀରବ ଅଲକ୍ଷ୍ୟ ପ୍ରଭାବରେ ବୈଦେଶିକ ଚିନ୍ତାଜଗତରେ କେତେଥର ବୈପ୍ଳବିକ ପରିବର୍ତ୍ତନ ଆସିଛି, କେହି କେବେ ବି ତାହା ଜାଣିପାରି ନାହିଁ ।

୧୪. ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ ।

୧୫. ଆମର ଏହି ପୁଣ୍ୟଭୂମିରେ ଏକମାତ୍ର ଧର୍ମ ହିଁ ଜାତୀୟ ଜୀବନର ବୁନିୟାଦ । ଭାରତବାସୀ ଜୀବନ-ସଙ୍ଗୀତରେ ଧର୍ମ ହିଁ ମୂଳ ସ୍ୱର । ପରିଣାମରେ ଶୁଭ ହେଉ ବା ଅଶୁଭ ହେଉ ଆମର ଜୀବନଶକ୍ତି ନିହିତ ଆମର ଧର୍ମରେ । ଏଥିପାଇଁ ଏହି ଧର୍ମର ଆଦର୍ଶ ଆମେ କଦାପି ବର୍ଜନ କରି ନ ପାରୁ । ତାହା କରିବାକୁ ଗଲେ ପ୍ରଚଣ୍ଡ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ହେବ ।

୧୬. ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେପରି ଜୀବନର ଗୋଟିଏ ଲକ୍ଷ୍ୟ ସ୍ଥିର କରି ନେବାକୁ ହୁଏ, ପ୍ରତ୍ୟେକ ଜାତିକୁ ମଧ୍ୟ ତାହା କରିବାକୁ ହୁଏ । ଶତ ଶତ ଯୁଗ ପୂର୍ବେ ଭାରତ ସେହିପରି ଗୋଟିଏ ଲକ୍ଷ୍ୟ ବାଛି ନେଇଛି ଏବଂ ତାକୁ ହିଁ ସେ ଧରି ରଖିବ । ଯାହା କୁହନା କାହିଁକି, ଏହି ଲକ୍ଷ୍ୟ ନିର୍ବାଚନରେ ଭାରତ କୌଣସି ଭୁଲ କରିନାହିଁ ।

୧୭. ଯୁଗ ଯୁଗ ଧରି ଜାତୀୟ ଜୀବନ ଯେଉଁ ଲକ୍ଷ୍ୟ ଦିଗକୁ ପ୍ରବାହିତ ହୋଇଛି, ତାହାକୁ ପରିତ୍ୟାଗ କଲେ ଜାତିର ଧ୍ୱଂସ ଅବଶ୍ୟମ୍ଭାବୀ । ରାଜନୈତିକ ବା ସାମାଜିକ ଉନ୍ନତିର ପ୍ରୟୋଜନ ନାହିଁ-ଏ କଥା ମୁଁ କହୁ ନାହିଁ; ଖାଲି ତୁମକୁ ମନେ ରଖିବାକୁ କୁହେ ଯେ ଏହି ଦେଶରେ ଏହିସବୁ ଲକ୍ଷ୍ୟ ଗୌଣ, ଧର୍ମ ହିଁ ମୁଖ୍ୟ ।

୧୮. ଆଧ୍ୟାତ୍ମିକତା ହିଁ ଆମର ଜାତୀୟ ଜୀବନର ଶୋଣିତପ୍ରବାହ । ଏହି ପ୍ରବାହ ଯେତେଦିନ ନିର୍ମଳ ଓ ଓଜସ୍ୱୀ ରହିବ ସେତେଦିନ ଆମର କଲ୍ୟାଣର ପଥ ଉନ୍ମୁକ୍ତ, ସେତେଦିନ ରାଷ୍ଟ୍ରର ଓ ସମାଜର ଯାବତୀୟ ଅଭାବର-ଏପରିକି ଦେଶର ବ୍ୟାପକ ଦାରିଦ୍ର୍ୟର ପ୍ରତିଷେଧକ ମିଳିବ । ଭାରତୀୟ ଜାତି ବିଲୁପ୍ତ ହୋଇ ନ ପାରେ । ବାସ୍ତବିକ ଯେତେ ଦିନ ଭାରତର ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ଅବ୍ୟାହତ ରହିବ, ଯେତେ ଦିନ ଭାରତର ଜନଗଣ ସେମାନଙ୍କର ପ୍ରାଣସ୍ୱରୂପ ଧର୍ମକୁ ଧରି ରଖିଥିବେ, ସେତେ ଦିନ ଭାରତୀୟ ଜାତିର ବିନାଶ ନାହିଁ ।

ଭାରତର ଭବିଷ୍ୟତ

୧୯. ତୁମେମାନେ ଧର୍ମରେ ବିଶ୍ୱାସ କର ବା ନ କର, ଯଦି ଜାତୀୟ ଜୀବନକୁ ଅବ୍ୟାହତ ରଖିବାକୁ ଚାହଁ, ତେବେ ଅଧ୍ୟାତ୍ମବିଦ୍ୟାକୁ ସବଳ ହସ୍ତରେ ଧରି ରଖିବାକୁ ହେବ । ଏକ ହାତରେ ତାହା ଧରିଥାଅ, ଅନ୍ୟ ହାତ ବଢ଼ାଇ ଅପରାପର ଜାତି ନିକଟରେ ଯାହା ଶିକ୍ଷଣୀୟ ଅଛି, ତାହା ଆହରଣ କର । ଅବଶ୍ୟ ଲକ୍ଷ୍ୟ ରଖ ଯେ, ସେସବୁ ଆହୃତ ବିଦ୍ୟା ଯେପରି ହିନ୍ଦୁର ମୂଳ ଜୀବନ ଦର୍ଶନ ଅନୁଗତ ରହେ ।

୨୦. ତାହା କରିପାରିଲେ ଭାବୀ ଭାରତ ଏପରି ମହିମାମୟ ସମୁଜ୍ଜ୍ୱଳ ହୋଇ ଉଠିବ, ଯେପରି ପୂର୍ବେ କୌଣସି କାଳରେ ନ ଥିଲା । ମୋର ଦୃଢ଼ ବିଶ୍ୱାସ, ସେ ଶୁଭଦିନ ଆସିବାକୁ ଆଉ ବିଳମ୍ବ ନାହିଁ । ଇତିହାସପ୍ରସିଦ୍ଧ ପ୍ରାଚୀନ ମହାପୁରୁଷମାନଙ୍କ ଅପେକ୍ଷା ମଧ୍ୟ ଅଧିକତର ପ୍ରଭାବଶାଳୀ ମହର୍ଷି ଓ ବ୍ରହ୍ମର୍ଷି ଏ ଦେଶରେ ଜନ୍ମଗ୍ରହଣ କରିବେ ।

୨୧. ହେ ଭ୍ରାତୃବୃନ୍ଦ, ଆମ ସମସ୍ତଙ୍କୁ ଭବିଷ୍ୟତରେ ଶୁଭ ଉଦ୍ବୋଧନ କାର୍ଯ୍ୟରେ ଅନଳସ ଐକାନ୍ତିକତାରେ ବ୍ରତୀ ହେବାକୁ ହେବ । ଆଉ ଶୋଇ ରହି କାଳ କଟାଇବାର ସମୟ ନାହିଁ । ଆମ ପ୍ରଯତ୍ନ ଉପରେ ଗୌରବୋଜ୍ଜ୍ୱଳ ଭବିଷ୍ୟତ ଭାରତର ଅଭ୍ୟୁଦୟ ନିର୍ଭର କରୁଛି ।... ଉଠ ତାକୁ ଜାଗ୍ରତ କରି ଦେଖ, ନବଜୀବନ ଲାଭ କରି ଆମର ଦେଶମାତୃକା ପୂର୍ବ ଯୁଗ ଅପେକ୍ଷା ଅଧିକତର ମହିମାରେ ତାଙ୍କର ଶାଶ୍ୱତ ସିଂହାସନରେ ପ୍ରତିଷ୍ଠିତ ହୋଇଛନ୍ତି ।

୨୨. ସୁଦୀର୍ଘ ରଜନୀ ବୋଧହୁଏ ପ୍ରଭାତ ହେଲା, ମର୍ମାନ୍ତିକ ଦୁଃଖର ବୋଧହୁଏ ଏଥର ଅବସାନ ହେଉଛି । ନିସ୍ପନ୍ଦ ଶବପରି ସୁଷୁପ୍ତ ଭାରତ ବୋଧହୁଏ ଜାଗି ଉଠିଛି । ଯିଏ ଅନ୍ଧ ସେ ହିଁ କେବଳ ଦେଖିପାରୁ ନାହିଁ, ଆଉ ଯିଏ ବିକୃତରୁଚି ସେ ଦେଖି ମଧ୍ୟ ଦେଖିବ ନାହିଁ, ଯେ ଆମ ଦେଶମାତୃକା ତାଙ୍କର ସୁଦୀର୍ଘ ଗଭୀର ପ୍ରସୁପ୍ତିରୁ ଜାଗ୍ରତ ହେଉଛନ୍ତି । କାହାର ସାଧ୍ୟ ନାହିଁ, ଏ ଜାଗରଣକୁ ରୋଧ କରିବ ! ଜାଗ୍ରତ ଭାରତ ଆଉ ନିଦ୍ରାଭିଭୂତ ହେବ ନାହିଁ । ବାହାରର କୌଣସି ଶକ୍ତି ଆଉ ତାକୁ ଦବେଇ ରଖିପାରିବ ନାହିଁ ।

୨୩. ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ । ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ ।

୨୪. ଆଧ୍ୟାତ୍ମିକତାର ଏକ ବନ୍ୟା ଆସୁଛି, ସ୍ପଷ୍ଟ ଦେଖୁଛି, ଏହି ଉଦ୍ଦାମ, ବନ୍ଧନହୀନ, ସର୍ବଗ୍ରାସୀ ପ୍ଳାବନ ସମଗ୍ର ପୃଥିବୀକୁ ଭସେଇ ନେଇଯିବ । ସମସ୍ତେ ଅଗ୍ରସର ହୁଅ । ସମସ୍ତଙ୍କର ଐକାନ୍ତିକ ପ୍ରଚେଷ୍ଟା ଏହି ପ୍ଳାବନର ବେଗ ବର୍ଦ୍ଧିତ କରୁ ଏବଂ ତୁମମାନଙ୍କର ସମବେତ ଉଦ୍ୟମର ଏହି ପଥ ବାଧାମୁକ୍ତ ହେଉ ।

୨୫. ମାନବଜାତିକୁ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ କରାଇବା ଭାରତର ମୂଳ ଜୀବନବ୍ରତ, ତାହାର ଅସ୍ତିତ୍ୱର ପରମ ପ୍ରତିଷ୍ଠା, ଚରମ ସାର୍ଥକତା । ତାତାର, ତୁର୍କୀ, ମୋଗଲ ଓ ଇଂରେଜର ଶାସନ ସତ୍ତ୍ୱେ ଏହି ଜାତିର ଜୀବନଧାରା ଅବ୍ୟାହତ ରହିଛି ।

୨୬. ମାନବକୁ ନବପ୍ରାଣରେ ସଞ୍ଜୀବିତ କରାଇବା, ପଶୁ ସ୍ତରର ମନୁଷ୍ୟକୁ ଦେବମାନବରେ ପରିଣତ କରାଇବା-ଏହି ମହାନ୍ ଜୀବନବ୍ରତ ଉଦ୍ଯାପନ କରିବା ପାଇଁ ଆମର ଦେଶମାତୃକା ସାମ୍ରାଜ୍ଞୀ ପରି ଧୀର ପଦକ୍ଷେପରେ ଅଗ୍ରସର ହେଉଛନ୍ତି । ସ୍ୱର୍ଗ ବା ମର୍ତ୍ତ୍ୟରେ ଏପରି କୌଣସି ଶକ୍ତି ନାହିଁ, ଯାହା ତାଙ୍କର ଗତିରୋଧ କରିପାରେ । 

ବର୍ତ୍ତମାନର ଅଧଃପତନ

୨୭. ଆଜିକାଲି ଅନେକ ହିଁ ମନେ କରନ୍ତି ଯେ ଅତୀତ ଆଡ଼କୁ ନିବଦ୍ଧଦୃଷ୍ଟି ବ୍ୟକ୍ତିଗଣ ମାରାତ୍ମକ ଭୁଲ କରୁଛନ୍ତି; ସେମାନଙ୍କର ଧାରଣା, ପୁରାବୃତ୍ତ ପ୍ରତି ଏହି ନିବିଡ଼ ମମତା ହିଁ ଭାରତର ଯାବତୀୟ ଦୁର୍ଗତିର ମୂଳ କାରଣ । ମୋର କିନ୍ତୁ ମନେ ହୁଏ ଏହାର ବିପରୀତ ଧାରଣା ହିଁ ସତ୍ୟ ।

୨୮. ଭାରତର ଅବନତିର ଅନ୍ୟତମ କାରଣ, ଆମର ସଂକୀର୍ଣ୍ଣ ଦୃଷ୍ଟି ଓ କର୍ମକ୍ଷେତ୍ରରେ ସଂକୋଚନ । ଆମ ଦେଶ ବାହାରର ଅନ୍ୟାନ୍ୟ ଜାତି ସହିତ ନିଜର ଭାବ ଓ କର୍ମାକର୍ମ ମିଳାଇ ଦେଖିନାହୁଁ,-ବହିର୍ବିଶ୍ୱରେ କଅଣ ଘଟୁଛି ତାହାର କୌଣସି ଖବର ନେଇ ନାହୁଁ, ଏହା ହିଁ ଭାରତବାସୀର ମାନସିକ ଅଧଃପତନ ପାଇଁ ପ୍ରଧାନତଃ ଦାୟୀ ।

୨୯. ମୋର ଦୃଢ଼ ବିଶ୍ୱାସ, କୌଣସି ବ୍ୟକ୍ତି ବା ଜାତି ଅପର ସଙ୍ଗରେ ସମ୍ବନ୍ଧ ବର୍ଜନ କରି ବଞ୍ଚି ରହିପାରେ ନାହିଁ । ମହତ୍ତ୍ୱ, ଶୁଚିତା ବା କର୍ମନୀତିର ଭୁଲ ଦୋହଲାଇ ଦେଇ ଏପରି ଅପଚେଷ୍ଟା ଯେ କେହି କରିଯାଇଛି, ସେ ବ୍ୟକ୍ତି ବା ଜାତିକୁ ଅନତିକାଳ ପରେ ଅପରିହାର୍ଯ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ହୋଇଛି ।

୩୦. ବାସ୍ତବିକ ଆଶଙ୍କା ହୁଏ-ଆଜି ଆମର ଧର୍ମ ରନ୍ଧନଶାଳରେ ହିଁ ଆବଦ୍ଧ ହୋଇ ପଡ଼ିଛି । ପ୍ରକୃତରେ ଆମେ ପ୍ରାୟ ସମସ୍ତେ ଆଜିକାଲି ବୈଦାନ୍ତିକ ବି ନୋହୁଁ, ପୌରାଣିକ ବା ତାନ୍ତ୍ରିକ ମଧ୍ୟ ନୋହୁଁ-ଆମେ ‘ଛୁତ୍ପନ୍ଥୀ’; ଆମ ଧର୍ମ ରୋଷେଇ ଘରେ ସୀମାବଦ୍ଧ । ଭାତହାଣ୍ଡି ଆମର ଉପାସ୍ୟ ଦେବତା; ଆଉ ମନ୍ତ୍ର ‘ମୋତେ ଛୁଅଁନା, ମୁଁ ଶୁଚି’-ଏହି ଘଟଣା ଆହୁରି ଏକ ଶହ ବର୍ଷ ଚାଲିଲେ ସମଗ୍ର ହିନ୍ଦୁ ସମାଜ ଉନ୍ମାଦ- ଆଶ୍ରମରେ ପରିଣତ ହେବ ।

୩୧. ମୋର ଧାରଣା ଜନସାଧାରଣଙ୍କର କଲ୍ୟାଣଚିନ୍ତା ଉପେକ୍ଷା କରି ଆମ ଜାତି ମହାପାତକ କରୁଛି ଏବଂ ତାହାରି ଫଳରେ ବର୍ତ୍ତମାନର ଅଧଃପତନ । ଯେତେ ଦିନ ପର୍ଯ୍ୟନ୍ତ ଭାରତର ଅନଭିଜାତ ଜନସାଧାରଣ ସମାଦୃତ ନ ହେଉଛନ୍ତି, ଯେତେ ଦିନ ତାଙ୍କ ପାଇଁ ଉପଯୁକ୍ତ ଖାଦ୍ୟ, ଶିକ୍ଷା ପ୍ରଭୃତିର ବ୍ୟବସ୍ଥା ନ ହୋଇଛି, ସେତେଦିନ ଆମର ଯାବତୀୟ ରାଜନୈତିକ କ୍ରିୟାକଳାପ ନିଷ୍ଫଳ ହେବ, ଏ ଦେଶର ଉନ୍ନତି ସମ୍ଭବ ହେବ ନାହିଁ ।

ନାରୀ-ଶିକ୍ଷା ଓ ନାରୀ-କଲ୍ୟାଣ

୩୨. ସ୍ତ୍ରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ । ଏକ ପକ୍ଷରେ ପକ୍ଷୀର ଉଡ଼୍ଡ଼ୟନ ସମ୍ଭବ ନୁହେଁ । ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ । ସେଥିପାଇଁ କେବଳ ମାତୃଭାବର ପ୍ରଚାର । ପ୍ରାଚୀନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି ।’ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି ।

୩୩. ତୁମେମାନେ ସ୍ତ୍ରୀ-ଜାତିକୁ ନିନ୍ଦା କର, କିନ୍ତୁ ତାଙ୍କ ଉନ୍ନତି ପାଇଁ କଅଣ କରିଛ କହିଲ ? ସ୍ମୃତି ପ୍ରଭୃତି ରଚନା କରି କଠିନ ବିଧିନିଷେଧ ସେମାନଙ୍କ ଅଣ୍ଟାପିଠିରେ ଏପରି ଭାବେ ବାନ୍ଧି ଦିଆଯାଇଛି ଯେ, ସେମାନେ ସନ୍ତାନ-ପ୍ରସବର ଯନ୍ତ୍ର ମାତ୍ରରେ ହିଁ ପର୍ଯ୍ୟବସିତ । କିନ୍ତୁ ଜଗଜ୍ଜନନୀ ଆଦ୍ୟାଶକ୍ତିଙ୍କର ସାକ୍ଷାତ୍ ପ୍ରତିମୂର୍ତ୍ତି ନାରୀମାନଙ୍କର ଅବସ୍ଥାରେ ଉନ୍ନତି ସାଧନ ନ କଲେ ଭାବ ନାହିଁ ଯେ ତୁମ ଉନ୍ନତିର ଆଉ କୌଣସି ଉପାୟ ଅଛି ।

୩୪. କୌଣସି ଶାସ୍ତ୍ରରେ ଏପରି କଥା ଅଛି ଯେ, ସ୍ତ୍ରୀଲୋକମାନେ ଜ୍ଞାନଭକ୍ତିର ଅଧିକାରିଣୀ ହେବେ ନାହିଁ ? ଭାରତୀୟ ନାରୀଗଣଙ୍କୁ ସୀତାଙ୍କର ପଦାଙ୍କ ଅନୁସରଣ କରି ନିଜର ଉନ୍ନତିବିଧାନର ଚେଷ୍ଟା କରିବାକୁ ହେବ-ଭାରତୀୟ ନାରୀର ଉନ୍ନତିର ଏହା ଏକମାତ୍ର ପଥ ।

୩୫. ସୀତା ସାବିତ୍ରୀଙ୍କର ଏହି ଦେଶରେ, ପୁଣ୍ୟକ୍ଷେତ୍ର ଭାରତରେ ଏବେ ମଧ୍ୟ ଝିଅମାନଙ୍କର ଯେପରି ଚରିତ୍ର, ସେବାଭାବ, ସ୍ନେହ, ଦୟା, ତୁଷ୍ଟି, ଭକ୍ତି ଦେଖାଯାଏ, ପୃଥିବୀରେ କେଉଁଠାରେ ମଧ୍ୟ ସେପରି ଦେଖିଲି ନାହିଁ । ଭାରତରେ କେବଳ ମହିଳାମାନଙ୍କର ନାରୀ ସୁଲଭ ସ୍ନିଗ୍ଧ ଲଜ୍ଜା ଓ ସଂଯମ ନୟନ ତୃପ୍ତି କରିଦିଏ ।

୩୬. ପ୍ରକୃତ ଭାରତୀୟ ନାରୀର ଆଦର୍ଶ ସୀତା । ଏ ଦେଶରେ ପୂର୍ଣ୍ଣାଙ୍ଗ ନାରୀଚରିତ୍ରର ଯାବତୀୟ ଆଦର୍ଶ ଏକମାତ୍ର ସୀତାଙ୍କର ଜୀବନରୁ ଗଢ଼ିଉଠିଛି । ବସ୍ତୁତଃ ସୀତା ହିନ୍ଦୁ ଜାତିର ପ୍ରାଣ ସଙ୍ଗେ ମିଶି ରହିଛନ୍ତି । ପ୍ରତି ହିନ୍ଦୁ ନରନାରୀଙ୍କର ଶୋଣିତରେ ଯେପରି ତାଙ୍କ ସତ୍ତା ଏବେ ବି ସ୍ପନ୍ଦିତ । ଆମେ ସମସ୍ତେ ହିଁ ସୀତାଙ୍କ ସନ୍ତାନ ।

୩୭. ସୀତା ଯେପରି ସତୀତ୍ୱର ମୂର୍ତ୍ତ ବିଗ୍ରହ । ସ୍ୱାମୀ ବ୍ୟତୀତ ଅପର କୌଣସି ପୁରୁଷର ଅଙ୍ଗ ସେ କେବେ ସ୍ପର୍ଶ କରିନାହାନ୍ତି । ଯାହା କିଛି ଶୁଚି, ସୁନ୍ଦର, ନିଷ୍ପାପ, ଯାହା କିଛି ମଧ୍ୟରେ ନାରୀର ନାରୀତ୍ୱ, ‘ସୀତା’ କହିଲେ ଭାରତରେ ତାହା ହିଁ ବୁଝାଏ ।

୩୮. ମୁଁ ଜାଣେ, ଯେଉଁ ଜାତି ସୀତାଙ୍କୁ ସୃଷ୍ଟି କରିଛି-ଯଦି ସେହି ସୃଷ୍ଟି କାଳ୍ପନିକ ହୁଏ-ତଥାପି ସେହି ଜାତିର ନାରୀ ପ୍ରତି ଶ୍ରଦ୍ଧା ପୃଥିବୀରେ ଅତୁଳନୀୟ ।

୩୯. ଭାରତୀୟ ନାରୀମାନଙ୍କୁ ଆଧୁନିକ କରିବା ଉଦ୍ଦେଶ୍ୟରେ ଯଦି ଆମେ ସେମାନଙ୍କୁ ସୀତାଙ୍କ ଆଦର୍ଶରୁ ବିଚ୍ୟୁତ କରିବାର ଚେଷ୍ଟା କରିବୁ, ଆମର ସକଳ ଉଦ୍ୟମ ହିଁ ବିଫଳ ହେବ । ଭାରତୀୟ ନାରୀଗଣଙ୍କୁ ସୀତାଙ୍କର ପଦାଙ୍କ ଅନୁସରଣ କରି ଉନ୍ନତି ପଥରେ ଚାଲିବାକୁ ହେବ- ଏହା ହିଁ ଏକମାତ୍ର ପନ୍ଥା ।

୪୦. ଆର୍ଯ୍ୟ ଓ ସେମିଟିକ୍ ଦୃଷ୍ଟିଭଙ୍ଗୀରେ ନାରୀର ଆଦର୍ଶ ସଂପୂର୍ଣ୍ଣ ବିପରୀତ । ସେମିଟିକ୍ ମତରେ ନାରୀର ସାହଚର୍ଯ୍ୟ ଈଶ୍ୱରଭକ୍ତି ପକ୍ଷରେ ଅନିଷ୍ଟକର । ତେଣୁ କୌଣସି ପ୍ରକାର ଧର୍ମାନୁଷ୍ଠାନରେ ନାରୀର ଅଧିକାର ନାହିଁ । ଏପରିକି ସାମାନ୍ୟ ଗୋଟିଏ ପକ୍ଷୀ ବଳି ଦେବାର ବି ନୁହେଁ; କିନ୍ତୁ ଆର୍ଯ୍ୟମତରେ ସ୍ତ୍ରୀକୁ ବାଦ ଦେଇ ପୁରୁଷ କୌଣସି ପ୍ରକାର ଧର୍ମାନୁଷ୍ଠାନ କରି ନ ପାରେ ।

ବର୍ତ୍ତମାନ କର୍ତ୍ତବ୍ୟ

୪୧. ଆମ ଦେଶ ପକ୍ଷରେ ଏବେ ବିଶେଷ ପ୍ରୟୋଜନ ଏପରି ବଳିଷ୍ଠ ମଣିଷ, ଯାହାଙ୍କର ମାଂସପେଶୀ ଲୌହବତ୍ ଦୃଢ଼, ସ୍ନାୟୁ ଇସ୍ପାତ ପରି କଠିନ, ଆଉ ଯାହାଙ୍କର ପ୍ରଚଣ୍ଡ ଇଚ୍ଛାଶକ୍ତି ବ୍ରହ୍ମାଣ୍ଡର ଗୂଢ଼ତମ ରହସ୍ୟ ଭେଦ କରିବାକୁ ସକ୍ଷମ । ଏହି କାର୍ଯ୍ୟସାଧନରେ ଯଦି ସମୁଦ୍ରର ଅତଳ ତଳକୁ ଯିବାକୁ ହୁଏ, ଏପରିକି ମୃତ୍ୟୁକୁ ମଧ୍ୟ ବରଣ କରିବାକୁ ହୁଏ, ସେଥିରେ ବି ସେମାନେ ତିଳେ ହେଲେ ପଶ୍ଚାତ୍ପଦ ହେବେ ନାହିଁ ।

୪୨. ଶକ୍ତି-ଏକମାତ୍ର ଶକ୍ତି ହିଁ ଆମର ପ୍ରୟୋଜନ । ତୁମେ ପ୍ରତ୍ୟେକ ନିଜ ଗୋଡ଼ରେ ଠିଆ ହୋଇ ସର୍ବପ୍ରକାର ବନ୍ଧନରୁ ମୁକ୍ତ ହୁଅ ।

୪୩. ଯଦି ଉପନିଷଦ୍ରେ ଏପରି ଗୋଟିଏ ଶବ୍ଦ ଥାଏ, ଯାହା ପୁଞ୍ଜୀଭୂତ ଅଜ୍ଞାନରାଶି ଉପରେ ବୋମା ପରି ବିସ୍ପାରିତ ହୋଇ ତାକୁ ଏକାବେଳକେ ଛିନ୍ନଭିନ୍ନ କରିଦେଇପାରେ, ତାହା ଏକମାତ୍ର ‘ଅଭୀ’ । ଯଦି ଜଗତକୁ କୌଣସି ଧର୍ମ ଶିଖାଇବାକୁ ହୁଏ, ତେବେ ତାହା ନିର୍ଭୀକତାର ଧର୍ମ । ଉଠ, ଜାଗ, ମୋହାଚ୍ଛନ୍ନ ହୋଇ ନିଜକୁ ଦୁର୍ବଳ ଭାବ ନାହିଁ ।

୪୪. ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ । ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ ।

୪୫. କେହି ବି ପ୍ରକୃତ ଦୁର୍ବଳ ନୁହେଁ । ଆତ୍ମା ଅନନ୍ତ, ସର୍ବଶକ୍ତିମାନ୍ ଓ ସର୍ବଜ୍ଞ । ଉଠି ଠିଆ ହୁଅ । ନିଜର ସ୍ୱରୂପ ବ୍ୟକ୍ତ କର । ତୁମର ଅନ୍ତର ଦେବତାଙ୍କୁ ଅସ୍ୱୀକାର ନ କରି ତାଙ୍କ ଅସ୍ତିତ୍ୱରେ ଆସ୍ଥାବାନ ହୁଅ । ଘୋର ଆଳସ୍ୟ, ଅତ୍ୟଧିକ ଦୁର୍ବଳତା ଓ ପ୍ରଚଣ୍ଡ ଆତ୍ମବିଭ୍ରାନ୍ତି ଆମ ଜାତିକୁ ଆଚ୍ଛନ୍ନ କରିଛି ।

୪୬. ଆଧୁନିକ ହିନ୍ଦୁମାନଙ୍କୁ କହେ-ତୁମେ ଏହି ମୋହଜାଲରୁ ମୁକ୍ତ ହୁଅ । ନିଜର ପ୍ରକୃତ ସ୍ୱରୂପ ଜାଣିବାକୁ ଚେଷ୍ଟା କର ଏବଂ ଅପରକୁ ଏହିପରି କରିବାକୁ ଶିଖାଅ । ମୋହନିଦ୍ରାରେ ଅଭିଭୂତ ଜୀବାତ୍ମାକୁ ଜଗାଅ । ଆତ୍ମସମ୍ବିତ୍ ଜାଗ୍ରତ ହେଲେ ଦେଖିବ-କ୍ଷମତା, ମହିମା, ସତତା, ପବିତ୍ରତା, ଯାହା କିଛି ବରଣୀୟ ସ୍ୱତଃ ହିଁ ଆସିବ ।

୪୭. ଦୁର୍ବଳ ମସ୍ତିଷ୍କ କିଛି କରିପାରେ ନାହିଁ । ଆମକୁ ତାହା ବଦଳରେ ସବଳ ମସ୍ତିଷ୍କ ହେବାକୁ ହେବ । ଧର୍ମ ପରେ ଆସିବ । ସଙ୍କୋଚନ ହିଁ ମୃତ୍ୟୁ, ଆଉ ସର୍ବପ୍ରକାର ସଂପ୍ରସାରଣ ହିଁ ଜୀବନ । ଯଦି ତୁମେ ବଞ୍ଚିବାକୁ ଚାହଁ, ତେବେ ତୁମକୁ ସଂକୀର୍ଣ୍ଣ ଗଣ୍ଡି ଛାଡ଼ିବାକୁ ହେବ ।

୪୮. ‘ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ’-ଉଠ, ଜାଗ୍ରତ ହୁଅ, ଆଚାର୍ଯ୍ୟଗଣଙ୍କର ସମୀପସ୍ଥ ହୋଇ (ତତ୍ତ୍ୱଜ୍ଞାନ) ଲାଭ କର । ଭାବ ନାହିଁ ତୁମେ ଦରିଦ୍ର, ଭାବ ନାହିଁ ତୁମେ ବନ୍ଧୁହୀନ । ଉଠ, ଜାଗ ।

୪୯. ସର୍ବଦା ‘ସୋଽହଂ’ କହି ନିଜ ସ୍ୱରୂପର ଚେତନା ଉଜ୍ଜୀବିତ କରି ରଖିବ । ଏହି ମହାବାକ୍ୟର ପ୍ରଭାବରେ ମନର ସକଳ ଆବର୍ଜନା ଭସ୍ମୀଭୂତ ହୋଇଯିବ ଏବଂ ଅନ୍ତରରେ ଯେଉଁ ଅନନ୍ତ ଶକ୍ତି ପ୍ରସୁପ୍ତ ଅଛି, ତାହା ଜାଗ୍ରତ ହୋଇ ପ୍ରଚଣ୍ଡ ତେଜରେ ମୂର୍ତ୍ତ ହୋଇ ଉଠିବ ।

ଶିକ୍ଷା

୫୦. ଶିକ୍ଷା କ’ଣ ପୋଥିର ବିଦ୍ୟା ?-ନା । ନାନା ବିଷୟର ଜ୍ଞାନ ? ନା, ତା’ ବି ନୁହେଁ । ଯଥାର୍ଥ ଶିକ୍ଷା କହିଲେ କେତେଗୁଡ଼ିଏ ଶବ୍ଦ ସଂଗ୍ରହକୁ ବୁଝାଏ ନାହିଁ । ବୁଝାଏ ମେଧା ପ୍ରଭୃତି ମାନସିକ ବୃତ୍ତିଗୁଡ଼ିକର ପରିସ୍ପୁରଣ । ମଣିଷର ବ୍ୟକ୍ତିଗତ ସଂକଳ୍ପଗୁଡ଼ିକ ସତ୍ ଏବଂ କାର୍ଯ୍ୟକାରୀ କରି ଗଢ଼ି ତୋଳିବାର ପଦ୍ଧତି ହେଉଛି ପ୍ରକୃତ ଶିକ୍ଷା ।

୫୧. ମାନବ ମଧ୍ୟରେ ସେହି ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ । ତା’ର ବିକାଶର ନାମ ଶିକ୍ଷା । ଶିକ୍ଷାପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି, ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ ଉପରେ ଠିଆ ହୋଇପାରେ, ତାହା ହିଁ ହେଉଛି ଶିକ୍ଷା । କେତେଟା ପାସ୍ କଲେ ବା ଭଲ ବକ୍ତୃତା କରି ପାରିଲେ କଅଣ ଶିକ୍ଷିତ ହୁଅନ୍ତି !

୫୨. ଶିକ୍ଷା କହିଲେ ମୁଁ ବୁଝେ ଯଥାର୍ଥ ଜ୍ଞାନ ଅର୍ଜନ । ଖାଲି ପୋଥିଗତ ବିଦ୍ୟାରେ ଚଳିବ ନାହିଁ । ଦରକାର ପାଶ୍ଚାତ୍ୟ ବିଜ୍ଞାନ ସଙ୍ଗେ ବେଦାନ୍ତର ସମନ୍ୱୟ-ଯାହାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ ।

୫୩. ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ । ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ । ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ ।

୫୪. ଦେହଟାକୁ ଖୁବ୍ ମଜଭୁତ କରିବାକୁ ଶିଖିବାକୁ ହେବ ଏବଂ ସମସ୍ତଙ୍କୁ ଶିଖାଇବାକୁ ହେବ । ଦେଖୁନ ଏବେ ବି ମୁଁ ରୋଜ୍ ଡାମବେଲ ଉଠାଏ । ଶାରୀରିକ ପରିଶ୍ରମ କରିବ । ଦେହ ଓ ମନ ସମାନ ଭାବରେ ଉନ୍ନତ ହେବା ଦରକାର ।

୫୫. ଜଗତରେ ଯଦି କିଛି ପାପ ଥାଏ, ତାହା ଏହି ଭୟ । ଯେକୌଣସି କାର୍ଯ୍ୟ ତୁମ ଭିତରେ ଶକ୍ତିର ଉଦ୍ରେକ କରାଏ ତାହା ହିଁ ପୁଣ୍ୟ, ଆଉ ଯାହା ତୁମ ଶରୀର ମନକୁ ଦୁର୍ବଳ କରେ ତାହା ପାପ । ଏହି ଦୁର୍ବଳତା ପରିତ୍ୟାଗ କର ।

୫୬. ଚାଲାକି ଦ୍ୱାରା କୌଣସି ମହତ୍ କାମ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ ।

୫୭. ମୁଁ ଦିବ୍ୟ ଚକ୍ଷୁରେ ଦେଖୁଛି ଯେ ତୁମମାନଙ୍କ ହୃଦୟରେ ଅନନ୍ତ ଶକ୍ତି ଅଛି । ସେହି ଶକ୍ତିକୁ ଜାଗ୍ରତ କର; ଉଠ, ଲାଗି ପଡ଼, ଅଣ୍ଟା ଭିଡ଼ । ମୁଁ ମୁକ୍ତି ଫୁକ୍ତି ଚାହେଁ ନାହିଁ ।

୫୮. ସମସ୍ତଙ୍କୁ ଯାଇ କହ-ଉଠ, ଜାଗ, ଆଉ ଶୁଅ ନାହିଁ । ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିତରେ ହିଁ ରହିଛି । ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ ।

୫୯. ଏବେ ଆମର ପ୍ରୟୋଜନ ଚରିତ୍ର ଗଠନ ଏବଂ ଇଚ୍ଛାଶକ୍ତି ପ୍ରବଳ କରିବା । ବାସ୍ତବିକ ଇଚ୍ଛାଶକ୍ତିର ପ୍ରଭାବ ଅପରିସୀମ ।

୬୦. ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ନିଜସ୍ୱ ଜ୍ଞାନ ଭଣ୍ଡାରରୁ ବିଭିନ୍ନ ବିଷୟ ସଙ୍ଗେ ପାଶ୍ଚାତ୍ୟ ବିଜ୍ଞାନ ଆୟତ୍ତ କରିବା ଆମର ପ୍ରୟୋଜନ । ଆଉ ଦରକାର କାରିଗରୀ ଶିକ୍ଷା ଏବଂ ଶ୍ରମଶିଳ୍ପ ପ୍ରସାରର ଅନୁକୂଳ ବିବିଧ ଶିକ୍ଷାର ବିସ୍ତାର, ଯାହା ଫଳରେ ଚାକିରୀ ଧନ୍ଦାରେ ନ ରହି ମଣିଷ ଜୀବିକା ଚଳାଇପାରେ ।

ଗଣୋନ୍ନତି

୬୧. ମନେରଖ, ଦରିଦ୍ରର କୁଟୀରରେ ହିଁ ଜାତିର ବସତି । କିନ୍ତୁ ହାୟ, ସେମାନଙ୍କ ପାଇଁ କେହି କିଛି ରଖି ନାହିଁ ।

୬୨. ଶିକ୍ଷାୟତନ ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ । ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ । ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ ।

୬୩. ଦେଶର ସର୍ବତ୍ର ଗ୍ରାମେ ଗ୍ରାମେ ଘୂରି ଗଣସମ୍ବିତ୍ ଜାଗ୍ରତ କରିବା ତୁମମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ, ଜନସାଧାରଣଙ୍କୁ ବୁଝାଇବାକୁ ହେବ ଯେ ଖାଲି ଅଳସ ଭାବରେ ବସି ରହିଲେ ଚଳିବ ନାହିଁ । ତା’ପରେ ତାଙ୍କର ନିଜ ନିଜର ଐହିକ ଅବସ୍ଥାର ଉନ୍ନତିର ଉପାୟ କହିଦେବାକୁ ହେବ ।

୬୪. ଜନସାଧାରଣଙ୍କର ଦୁର୍ଗତି ଦେଖି ମୋ ହୃଦୟ ଏପରି ଭାରାକ୍ରାନ୍ତ ଯେ ଅନ୍ତରର ବ୍ୟଥା ପ୍ରକାଶ କରିବା ଅସମ୍ଭବ । ଯେତେ ଦିନ ଭାରତର କୋଟି କୋଟି ନରନାରୀ ଅଶିକ୍ଷିତ ଓ ବୁଭୁକ୍ଷୁ ରହିଥିବେ, ସେତେଦିନ ସେମାନଙ୍କୁ ବଞ୍ଚିତ କରି ଯେଉଁମାନେ ତାଙ୍କର କଲ୍ୟାଣ ସମ୍ବନ୍ଧରେ ଏକାନ୍ତ ଉଦାସୀନ ହୋଇ ରହିଛନ୍ତି, ସେମାନଙ୍କର ପ୍ରତ୍ୟେକଙ୍କୁ ମୁଁ ଦେଶଦ୍ରୋହୀ ମନେ କରେ ।

୬୫. ଇଉରୋପରେ ବହୁ ନଗରରେ ଭ୍ରମଣ ସମୟରେ ଦରିଦ୍ର ବ୍ୟକ୍ତିଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଏବଂ ଶିକ୍ଷାଦୀକ୍ଷା ଦେଖି ଭାରତର ଅସହାୟ ଗରୀବମାନଙ୍କର ଅବସ୍ଥା ମନେ ପଡ଼ୁଥିଲା, ଆଉ ଆଖିରୁ ଲୁହ ଢାଳୁଥିଲି । ଏହି ପାର୍ଥକ୍ୟର କାରଣ ଅନୁସନ୍ଧାନ କରି ବୁଝିଲି, ପ୍ରଭେଦ ଗଣଶିକ୍ଷାରେ ।

୬୬. ତୁମେମାନେ ଏହିସବୁ ଦରିଦ୍ର ମୂକ ଜନସାଧାରଣଙ୍କୁ ହିଁ ତୁମର ଆରାଧ୍ୟ ଦେବତା ମନେ କରି ସେବା କର; ତାଙ୍କର କଲ୍ୟାଣର ଚେଷ୍ଟା କର । ଯାହାର ହୃଦୟ ଦରିଦ୍ରଙ୍କ ବ୍ୟଥାରେ ବିଗଳିତ ହୁଏ, ତାଙ୍କୁ ହିଁ ମୁଁ କୁହେ ମହାତ୍ମା, ନତୁବା ସେ ଦୁରାତ୍ମା ।

୬୭. ପୃଥିବୀର ଅପର କୌଣସି ଧର୍ମ ହିଁ ହିନ୍ଦୁ ଧର୍ମ ପରି ଏତେ ଉଦାତ୍ତ କଣ୍ଠରେ ମାନବାତ୍ମାର ମହିମା ଘୋଷଣା କରି ନାହିଁ । ଅଥଚ ଅପର କୌଣସି ଧର୍ମ ହିନ୍ଦୁ ଧର୍ମ ପରି ଦରିଦ୍ର ଓ ନିମ୍ନ ଶ୍ରେଣୀର ତଣ୍ଟିକୁ ଏ ଭାବରେ ଚାପି ଧରି ନାହିଁ ।

୬୮. ଭାରତର ଉପେକ୍ଷିତ, କୃଷକ, ତନ୍ତୀ ପ୍ରଭୃତି ନିମ୍ନ ଶ୍ରେଣୀର ଲୋକମାନେ ବିଜେତାଙ୍କର ନିପୀଡ଼ନ ଏବଂ ସ୍ୱଦେଶବାସୀଙ୍କର ଅବଜ୍ଞା ସତ୍ତ୍ୱେ ସ୍ମରଣାତୀତ କାଳରୁ ନୀରବରେ କାମ କରି ଆସୁଛନ୍ତି ଏବଂ ତା’ପାଇଁ ସେମାନେ କୌଣସି ଦିନ ତାଙ୍କର ଉପଯୁକ୍ତ ପାରିଶ୍ରମିକ ପାଇ ନାହାନ୍ତି ।

୬୯. ହେ ଭାରତର ଶ୍ରମିକ ସଂପ୍ରଦାୟ ! ହେ ଭାରତର ଚିର ପଦଦଳିତ ଶ୍ରମିକ ବୃନ୍ଦ । ତୁମମାନଙ୍କର କାର୍ଯ୍ୟ ବାସ୍ତବିକ ଅତି ଅଦ୍ଭୁତ । ତୁମମାନଙ୍କୁ ଅଭିନନ୍ଦନ ଜଣାଉଛି ।

୭୦. ଆମ ଜନସାଧାରଣ ପାର୍ଥିବ ବ୍ୟାପାର ସମ୍ବନ୍ଧରେ ଅତ୍ୟନ୍ତ ଅଜ୍ଞ । ତେବେ ସେମାନେ ସଜ୍ଜନ । କାରଣ ଏ ଦେଶରେ ଦାରିଦ୍ର୍ୟ ସଙ୍ଗେ ସୌଜନ୍ୟର କୌଣସି ସମ୍ପର୍କ ନାହିଁ । ସେମାନଙ୍କର ସ୍ୱଭାବ କେବେ ହିଂସାପ୍ରବଣ ନୁହେଁ ।

୭୧. ନୂତନ ଭାରତ ବାହାରୁ ! ବାହାରୁ ଲଙ୍ଗଳ ଧରି, ଚଷାର କୁଟୀର ଭେଦ କରି, କେଉଟ, ନାଉରିଆ, ମୋଚି, ମେହନ୍ତରର କୁଡ଼ିଆ ଭିତରୁ, ବାହାରୁ ତେଜରାତି ଦୋକାନ ମଧ୍ୟରୁ, ଗୁଡ଼ିଆର ଚୂଲୀ ପାଖରୁ; ବାହାରୁ କାରଖାନାରୁ, ହାଟରୁ, ବଜାରରୁ; ବାହାରୁ ବୁଦା, ଜଙ୍ଗଲ, ପାହାଡ଼, ପର୍ବତରୁ ।

୭୨. କୋଟି କୋଟି ଗରୀବ ନୀଚ ଯେଉଁମାନେ, ସେହିମାନେ ହିଁ ହେଉଛନ୍ତି ଦେଶର ପ୍ରାଣ । ଏମାନେ ସହସ୍ର ସହସ୍ର ବର୍ଷ ଅତ୍ୟାଚାର ସହିଛନ୍ତି; ସେଥିରୁ ପାଇଛନ୍ତି ଅପୂର୍ବ ସହିଷ୍ଣୁତା । ସନାତନ ଦୁଃଖ ଭୋଗ କରିଛନ୍ତି, ସେଥିରୁ ପାଇଛନ୍ତି ଅଟଳ ଜୀବନୀଶକ୍ତି । 

ଜାତୀୟତା

୭୩. ଇଂଲଣ୍ଡ ଖୁବ୍ ବେଶୀ ହେଲେ ଭାରତର ସ୍ୱାଧିନତା ଅର୍ଜନ ପ୍ରଚେଷ୍ଟାରେ ସାହାଯ୍ୟ କରିପାରେ; କିନ୍ତୁ ଅନ୍ୟ କାହାରି ବରାଦ ଅନୁଯାୟୀ କାର୍ଯ୍ୟ କରିବାରେ କୌଣସି ପ୍ରକାର ମୂଲ୍ୟ ଅଛି ବୋଲି ମୁଁ ମନେ କରେ ନାହିଁ; ଆଗେ ମଣିଷ ତିଆରି କର ।

୭୪. ସାମାଜିକ ବା ରାଜନୈତିକ ଯେ କୌଣସି ବ୍ୟବସ୍ଥା ମୂଳରେ ରହିବା ଦରକାର ବ୍ୟଷ୍ଟି ମାନବର ସତତା । ଶାସନ ସଂସଦର କୌଣସି ବିଶେଷ ବିଧାନ ପ୍ରବର୍ତ୍ତନ ଉପରେ ରାଷ୍ଟ୍ରର ମହତ୍ତ୍ୱ ନିର୍ଭର କରେ ନାହିଁ । ପୃଥିବୀର ସମସ୍ତ ଧନ ସମ୍ପଦ ଅପେକ୍ଷା ଖାଣ୍ଟି ମଣିଷର ମୂଲ୍ୟ ଅନେକ ବେଶୀ ।

୭୫. ଯେତେବେଳେ ତୁମମାନଙ୍କ ମଧ୍ୟରେ ଏପରି ସବୁ ଖାଣ୍ଟି ମଣିଷ ଜନ୍ମିବେ, ଯେଉଁମାନେ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ, ସେତେବେଳେ ଭାରତ ସମସ୍ତ ଦିଗରେ ମହିମାନ୍ୱିତ ହେବ ।

୭୬. ଦାରିଦ୍ର୍ୟ ଏବଂ ଅଜ୍ଞାନର ଘୂର୍ଣ୍ଣାବର୍ତ୍ତରେ ନିମଜ୍ଜମାନ ଲକ୍ଷ ଲକ୍ଷ ଦେଶବାସୀଙ୍କର କଲ୍ୟାଣ ପାଇଁ ଶତ ଶତ ଉନ୍ନତହୃଦୟ ନରନାରୀ ଯେତେବେଳେ ବ୍ୟାକୁଳ ହୋଇ ପ୍ରାଣପଣେ ଚେଷ୍ଟା କରିବେ, ସେତେବେଳେ ଯାଇ ଭାରତର ନବ ଜାଗରଣ ସମ୍ଭବ ।

୭୭. ଭାରତର ଜନସାଧାରଣଙ୍କର ଉନ୍ନୟନ-ଏହି ଏକମାତ୍ର ବ୍ରତରେ ଯେଉଁମାନେ ମନପ୍ରାଣ ନିୟୋଗ କରିପାରିବେ, ଏପରି ଯୁବକମାନଙ୍କ ଭିତରେ ଯାଇ କାମ କର । ପତିତ, ନିପୀଡ଼ିତ, ସର୍ବହରାମାନଙ୍କ ପ୍ରତି ସମବେଦନାରେ ସାରା ଦେଶରେ ସିଂହବିକ୍ରମରେ ପ୍ରଚାର କରିବାକୁ ହେବ ସେମାନଙ୍କର ମୁକ୍ତିର ବାଣୀ, ସେବାର ବାଣୀ, ସାମାଜିକ ଉନ୍ନୟନ ଓ ସାମ୍ୟର ବାଣୀ ।

୭୮. ମୋର ଦୃଢ଼ ବିଶ୍ୱାସ ଯେ ହିନ୍ଦୁ ସମାଜର ବର୍ତ୍ତମାନ ଅବନତି ପାଇଁ ଧର୍ମକୁ ଦାୟୀ କରିବାର ପ୍ରୟୋଜନ ନାହିଁ । କାରଣ ସମାଜର ବର୍ତ୍ତମାନ ଦୁର୍ଦ୍ଦଶା ପାଇଁ ଧର୍ମ ଦାୟୀ ନୁହେଁ, ବରଂ ସମାଜରେ ଧର୍ମର ଯଥାଯଥ ପ୍ରୟୋଗର ଅଭାବ ହିଁ ଦାୟୀ ।

୭୯. ଧର୍ମର ସଂହତି ସ୍ଥାପନ ହିଁ ଭବିଷ୍ୟତ ଭାରତ ଗଢ଼ିବାର ପ୍ରଥମ ସୋପାନ । ବହୁ ଦିଗରେ ବିକୀର୍ଣ୍ଣ ଆଧ୍ୟାତ୍ମିକ ଶକ୍ତିସମୂହର ସମ୍ମେଳନ ଦ୍ୱାରା ଭାରତର ଜାତୀୟ ଐକ୍ୟର ପ୍ରତିଷ୍ଠା କରିବାକୁ ହେବ ।

୮୦. ତୁମେ ମଧ୍ୟ କଟୀମାତ୍ର ବସ୍ତ୍ରାବୃତ ହୋଇ ସଦର୍ପ ଡାକି କୁହ-ପ୍ରତ୍ୟେକ ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁଶଯ୍ୟା, ମୋର ଯୌବନର ଉପବନ, ମୋର ବାର୍ଦ୍ଧକ୍ୟର ବାରାଣସୀ । କୁହ ଭାଇ-ଭାରତର ମୃତ୍ତିକା ଆମର ସ୍ୱର୍ଗ, ଭାରତର କଲ୍ୟାଣ ଆମର କଲ୍ୟାଣ । ଆଉ ଦିନ ରାତି, କୁହ ହେ ଗୌରୀନାଥ ! ହେ ଜଗଦମ୍ବେ ମୋତେ ମନୁଷ୍ୟତ୍ୱ ଦିଅ ମା ! ମୋର ଦୁର୍ବଳତା କାପୁରୁଷତା ଦୂର କର, ମୋତେ ମଣିଷ କର । 

ବିବିଧ

୮୧. ଯେ ପର ପାଇଁ ସବୁ ଦେଇଛି ସେ ତ ମୁକ୍ତ । ଆଉ ଯେଉଁମାନେ ‘ମୋର ମୁକ୍ତି’ ‘ମୋର ମୁକ୍ତି’ କହି ଦିନରାତି ବ୍ୟସ୍ତ ହୁଅନ୍ତି, ସେମାନଙ୍କର ‘ଇତୋ ନଷ୍ଟସ୍ତତୋଭ୍ରଷ୍ଟ’ ହେବ ।

୮୨. ପରୋପକାର ଏକ ସାର୍ବଜନୀନ ମହାବ୍ରତ । ଜନସାଧାରଣ ଏବଂ ନାରୀମାନଙ୍କର ମଧ୍ୟରେ ଶିକ୍ଷାର ବିସ୍ତାର ନ ହେଲେ କୌଣସି କିଛି ହେବାର ଉପାୟ ନାହିଁ । ଗରୀବ ନିମ୍ନଜାତି ମଧ୍ୟରେ ବିଦ୍ୟା ଓ ଶକ୍ତିର ପ୍ରବେଶ ଯେବେଠାରୁ ହେବାକୁ ଲାଗିଲା, ସେବେଠାରୁ ଇଉରୋପ ଉଠିବାକୁ ଲାଗିଲା ।

୮୩. ବହୁ ରୂପେ ସମ୍ମୁଖେ ତୁମର
        ଛାଡ଼ି କାହିଁ ଖୋଜୁଛ ଈଶ୍ୱର ?
        ଜୀବେ ପ୍ରେମ କରେ ଯେଉଁ ଜନ
        ସେହି ମାତ୍ର ସେବଇ ଈଶ୍ୱର ।

୮୪. ଦରିଦ୍ର, ମୂର୍ଖ, ଅଜ୍ଞାନୀ, କାତର, ଏମାନେ ହିଁ ତୁମର ଦେବତା ହୁଅନ୍ତୁ । ଏମାନଙ୍କର ସେବା ହିଁ ପରମ ଧର୍ମ ବୋଲି ଜାଣିବ । ଜଗତର କଲ୍ୟାଣ କରିବା, ଆଚଣ୍ଡାଳଙ୍କର କଲ୍ୟାଣ କରିବା-ଏହା ଆମର ବ୍ରତ । ସେଥିରେ ମୁକ୍ତି ମିଳୁ ବା ନରକ ଆସୁ । ଯେତେ ଦିନ ଦେହ ଅଛି, ସେତେ ଦିନ କାମ ନ କରି ତ କେହି ରହିପାରେ ନାହିଁ; ସୁତରାଂ ଯେଉଁ କାମରେ ପରର ଉପକାର ହୁଏ, ତାହା କରିବା ଉଚିତ । ଦେହ ତ ଦିନେ ଯିବ ହିଁ ଯିବ, ଅଳସୁଆମିରେ କାହିଁକି ଯିବ ? କାମ କଥା କହୁ, ମୁହଁକୁ ବିଶ୍ରାମ ଦିଅ ।

୮୫. ଯେଉଁ କର୍ମଦ୍ୱାରା ଆତ୍ମଭାବର ବିକାଶ ହୁଏ, ତାହା ହିଁ କର୍ମ । ଯଦ୍ଦ୍ୱାରା ଅନାତ୍ମଭାବର ବିକାଶ ହୁଏ, ତାହା ହିଁ ଅକର୍ମ । ମହାବୀରଙ୍କର ଚରିତ୍ରକୁ ହିଁ ତୁମମାନଙ୍କର ବର୍ତ୍ତମାନ ଆଦର୍ଶ କରିବାକୁ ହେବ । ଜୀବନ-ମରଣରେ ଦୃକପାତ ନାହିଁ-ମହାଜିତେନ୍ଦ୍ରିୟ, ମହାବୁଦ୍ଧିମାନ ।

୮୬. ଦେଶର ଯୁବକମାନଙ୍କ ଉପରେ ମୋର ଗଭୀର ଆସ୍ଥା ଅଛି । ଦଶବର୍ଷ ମୁଁ ସାରା ଭାରତରେ ବୁଲିଛି । ମୋର ସ୍ଥିର ଧାରଣା ହୋଇଛି ଯେ ଭାରତର ଯୁବସମାଜରୁ ଯେଉଁ ଶକ୍ତି ଆସିବ, ତାହା ଭାରତକୁ ପୁନରାୟ ତା’ର ଯଥାର୍ଥ ଆଧ୍ୟାତ୍ମିକ ମହିମାରେ ଉଜ୍ଜୀବିତ କରିବ ।

୮୭. ପିତାମାତାଙ୍କୁ ପ୍ରତ୍ୟକ୍ଷ ଦେବତାରୂପେ ଜାଣି ଗୃହୀ ବ୍ୟକ୍ତି ସର୍ବଦା ସର୍ବପ୍ରଯତ୍ନରେ ତାଙ୍କର ସେବା କରିବ । ଯଦି ମାତାପିତା ତୁଷ୍ଟ ରହନ୍ତି, ତେବେ ସେ ବ୍ୟକ୍ତିଙ୍କ ପ୍ରତି ଭଗବାନ୍ ମଧ୍ୟ ପ୍ରୀତ ହୁଅନ୍ତି । ମାତା, ପିତା, ପୁତ୍ର, ପତ୍ନୀ, ଭ୍ରାତା ଓ ଅତିଥିଙ୍କୁ ଭୋଜନ ନ କରାଇ ଯେଉଁ ଗୃହୀ ବ୍ୟକ୍ତି ନିଜର ଉଦର ପୂର୍ଣ୍ଣ କରେ, ସେ ପାପ କରେ ।

୮୮. ଜୀବସେବାଠାରୁ ବଳି ଆଉ ଧର୍ମ ନାହିଁ । ମୁଁ ଏତେ ତପସ୍ୟା କରି ଏହି ସାର ବୁଝିଛି ଯେ-ଜୀବେ ଜୀବେ ସେ ଅଧିଷ୍ଠିତ ହୋଇ ରହିଛନ୍ତି । ‘ଜୀବେ ପ୍ରେମ କରେ ଯେଉଁ ଜନ ସେହି ମାତ୍ର ସେବଇ ଈଶ୍ୱର ।’ ପରୋପକାର ହିଁ ଧର୍ମ, ବାକୀ ଯାଗଯଜ୍ଞ ସବୁ ପାଗଳାମି- ନିଜର ମୁକ୍ତିକାମନା ମଧ୍ୟ ଅନ୍ୟାୟ ।

୮୯. ପ୍ରଥମ ପୂଜା ବିରାଟର ପୂଜା; ତୁମ ସାମ୍ନାରେ, ତୁମ ଚାରି ଦିଗରେ ଯେଉଁମାନେ ଅଛନ୍ତି, ସେମାନଙ୍କର ପୂଜା-ସେମାନଙ୍କର ପୂଜା କରିବାକୁ ହେବ-ସେବା ନୁହେଁ । ଏହିସବୁ ମଣିଷ, ଏହିସବୁ ପଶୁ, ଏହିମାନେ ହିଁ ତୁମର ଈଶ୍ୱର, ଆଉ ତୁମର ସ୍ୱଦେଶବାସୀଗଣ ହିଁ ତୁମର ପ୍ରଥମ ଉପାସ୍ୟ ।

୯୦. ଶ୍ରଦ୍ଧାବାନ୍ ହୁଅ, ବୀର୍ଯ୍ୟବାନ୍ ହୁଅ, ଆତ୍ମଜ୍ଞାନ ଲାଭ କର, ଆଉ ପରହିତରେ ଜୀବନପାତ କର-ଏହା ମୋର ଇଚ୍ଛା ଓ ଆଶୀର୍ବାଦ ।

୯୧. ଖାଲି ପେଟରେ ଧର୍ମ ହୁଏ ନାହିଁ-ପ୍ରଭୁ କହିଥିଲେ । କ୍ଷୁଧାର୍ତ୍ତକୁ ଧର୍ମକଥା ଶୁଣାଇବା ନିହାତି ପାଗଳାମି । ଆଗେ କ୍ଷୁଧିତ ପାଇଁ ଅନ୍ନର ସଂସ୍ଥାନ କରିବାକୁ ପଡ଼ିବ ।

୯୨. ଯେଉଁଦିନ ମ୍ଳେଚ୍ଛ ଶବ୍ଦ ଆବିଷ୍କୃତ ଓ ବିଭିନ୍ନ ଜାତି ସଙ୍ଗେ ସଂଯୋଗ ବନ୍ଦ ହୋଇଛି, ସେହିଦିନ ଠାରୁ ଭାରତର ଭାଗ୍ୟବିପର୍ଯ୍ୟୟ ଆରମ୍ଭ ହୋଇଛି ।

୯୩. ତୁମେ ସ୍ତ୍ରୀ-ଜାତିଙ୍କର ଅବସ୍ଥାରେ ଉନ୍ନତି କରିପାର କି ! ତେବେ ଯାଇ ତୁମର କଲ୍ୟାଣର ଆଶା ଅଛି । ଜନନୀଗଣଙ୍କର ଉନ୍ନତି ହେଲେ ତାଙ୍କର କୃତୀ ସନ୍ତାନବର୍ଗଙ୍କର ମହାନ କୀର୍ତ୍ତି ଦେଶର ମୁଖୋଜ୍ଜ୍ୱଳ କରିପାରିବ ।

୯୪. ନାରୀ ପ୍ରତି ଯଥାର୍ଥ ସମ୍ମାନ ଦେଇ ସବୁ ଜାତି ବଡ଼ ହୋଇଛି । ତୁମ ଜାତିର ଯେ ଏତେ ଅଧୋଗତି, ତା’ର ପ୍ରଧାନ କାରଣ-ଶକ୍ତିର ଏହି ଜୀବନ୍ତ ମୂର୍ତ୍ତିଗୁଡ଼ିକୁ ତୁମେ ଯଥାର୍ଥ ମର୍ଯ୍ୟାଦା ଦେଇ ନାହଁ । ସେମାନେ କେଡ଼େ ଅସହାୟ, ପରମୁଖାପେକ୍ଷୀ ।

୯୫. ପ୍ରାଚୀନକାଳରେ ନାରୀମାନଙ୍କର ଜ୍ଞାନଲାଭର ଅଧିକାର ଥିଲା । ବର୍ତ୍ତମାନ ଯୁଗରେ ସେ ଅଧିକାରରୁ ସେମାନେ କାହିଁକି ବଞ୍ଚିତ ହେବେ ? ଅବନତିର ଯୁଗରେ ଯେତେବେଳେ ପୁରୋହିତକୂଳ ବ୍ରାହ୍ମଣେତର ବର୍ଣ୍ଣକୁ ବେଦପାଠର ଅନଧିକାରୀ ବୋଲି ନିର୍ଦ୍ଦେଶ ଦେଇଥିଲେ, ସେହି ସମୟରେ ସେମାନେ ସ୍ତ୍ରୀଲୋକଙ୍କୁ ସର୍ବପ୍ରକାର ଅଧିକାରରୁ ବଞ୍ଚିତ କରିଥିଲେ-ଅଗ୍ନିହୋତ୍ରୀ ପରି ବୈଦିକ କର୍ମରେ ମଧ୍ୟ ଗୃହସ୍ଥର ସହଧର୍ମିଣୀର ପ୍ରୟୋଜନ ଥିଲା । ଅଥଚ ପୌରାଣିକ ଯୁଗରେ ପ୍ରଚଳିତ ଶାଳଗ୍ରାମ ଶିଳା ପ୍ରଭୃତି ଗୃହଦେବତାଙ୍କୁ ସ୍ପର୍ଶ କରିବାର ଅଧିକାର ସ୍ତ୍ରୀ-ଲୋକଙ୍କର ନାହିଁ !

୯୬. ସମାଜଜୀବନରେ ସମସ୍ତଙ୍କର ସମାନ ଅଧିକାର । ଗୁଣଗତ ଭେଦ ବିଭାଗର ସ୍ଥାନ ଅଧିକାର କରିଛି କୃତ୍ରିମ ଜାତିଭେଦ-ଯାହା ଜାତିର ଅଧଃପତନର କାରଣ । ତାକୁ ଧର୍ମର ଉଚ୍ଚତତ୍ତ୍ୱ ସହାୟତାରେ ଦୂର କରିବାକୁ ହେବ ।

୯୭. ଭାରତ ମୋର, ତୁମେ ଜାଗ, କେଉଁଠି ତୁମର ପ୍ରାଣଶକ୍ତି ? ତୁମର ମୃତ୍ୟୁହୀନ ଆତ୍ମାରେ ? ଭାରତର ସମାଜ ସଂସ୍କାର ଓ ରାଜନୀତି ଧର୍ମଶକ୍ତିର ମାଧ୍ୟମରେ ପ୍ରଚାର କରିବାକୁ ହେବ ।

୯୮. ଭାରତବର୍ଷ ଯଦି ତା’ର ଭଗବତ୍ଜିଜ୍ଞାସାକୁ ଅବ୍ୟାହତ ରଖେ, ତେବେ ତା’ର ମୃତ୍ୟୁ ନାହିଁ । ଯଦି ସେ ରାଜନୀତି ବା ସାମାଜିକ ସଂଘର୍ଷରେ ବୁଡ଼ିଯାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ ।

୯୯. ଏ ଦେଶକୁ (ପାଶ୍ଚାତ୍ୟ ଦେଶକୁ) ଆସିବା ପୂର୍ବରୁ ମୁଁ ଭାରତକୁ ଭଲ ପାଉଥିଲି; କିନ୍ତୁ ବର୍ତ୍ତମାନ ଭାରତବର୍ଷର ଧୂଳିକଣାଟି ପର୍ଯ୍ୟନ୍ତ ମୋ ପାଖରେ ଶୁଚିବୋଳା; ଭାରତର ବାୟୁ ମୋ ନିକଟରେ ପବିତ୍ର । ଭାରତ ପୁଣ୍ୟଭୂମି, ମହାତୀର୍ଥ ।

୧୦୦. ତୁମେମାନେ (ଉପନିଷଦ୍ରେ) ପଢ଼ିଛ, ‘ମାତୃଦେବୋ ଭବ’ ମୁଁ କହେ-‘ଦରିଦ୍ର ଦେବୋ ଭବ’, ‘ମୂର୍ଖ ଦେବୋ ଭବ’ । ଜଣେ ଲୋକର ମୁକ୍ତି ପାଇଁ ମୁଁ ହଜାରେଥର ନରକକୁ ଯିବାକୁ ପ୍ରସ୍ତୁତ ଅଛି ।

୧୦୧. ହେ ଭାରତ ! ଭୁଲ ନାହିଁ ତୁମ ନାରୀଜାତିର ଆଦର୍ଶ ସୀତା, ସାବିତ୍ରୀ, ଦମୟନ୍ତୀ । ଭୁଲ ନାହିଁ-ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର । ଭୁଲ ନାହିଁ-ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି ମେହନ୍ତର ତୁମର ରକ୍ତ, ତୁମର ଭାଇ । ହେ ବୀର ! ସାହସ ଅବଲମ୍ବନ କର । ସଦର୍ପରେ କୁହ-ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ ।

*              *              *

ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଭାରତର ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରଭାବିତ ହୋଇଥିଲେ | ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ରାଜଗୋପାଳଚାରୀ, ବାଳ ଗଙ୍ଗାଧର ତିଳକ, ରବୀନ୍ଦ୍ରନାଥ ଠାକୁର ଆଦି ପ୍ରଭାବଶାଳୀ ବ୍ୟକ୍ତିମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଆଦର୍ଶ ହିସାବରେ ମାନୁଥିଲେ | ସୁଭାଷ ଚନ୍ଦ୍ର ବୋଷ କହିଥିଲେ - "ଯଦି ସ୍ୱାମୀ ବିବେକାନନ୍ଦ ଆଜି ବଞ୍ଚିଥାନ୍ତେ, ତେବେ ମୁଁ ତାଙ୍କ ପାଦତଳେ ବସି ଶିକ୍ଷାଲାଭ କରିଥାନ୍ତି |"

ସ୍ୱାମୀ ବିବେକାନନ୍ଦ ହିଁ ଭାରତୀୟ ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ | ସେଥିପାଇଁ ଭାରତ ସରକାର ସ୍ୱାମୀଜୀଙ୍କ ଜନ୍ମଦିନ ଜାନୁଆରୀ ୧୨ ତାରିଖକୁ 'ଜାତୀୟ ଯୁବ ଦିବସ' ଭାବରେ ପାଳନ କରନ୍ତି |

କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସ୍ୱାମୀଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି | ନୋବେଲ ପୁରସ୍କାର ପ୍ରାପ୍ତ ରୋମାଁ ରୋଲା, ଦାର୍ଶନିକ ମାକ୍ସ ମୁଲ୍ଲାର, ବୈଜ୍ଞାନିକ ଟେସଲା ଆଦି ବ୍ୟକ୍ତି ମାନେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ |